Hot Posts

6/recent/ticker-posts

ରାୟଗଡ଼ାରେ ଉତ୍ସବମୁଖର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଡେଲି ମାର୍କେଟରେ ଭକ୍ତିମୟ ପରିବେଶ, ଆକର୍ଷଣ ସାଜିଲା ପାରମ୍ପରିକ ମାଠିଆ ଫୋଡ଼ା ଉତ୍ସବ

ରାୟଗଡ଼ା, ୦୪/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଡେଲି ମାର୍କେଟସ୍ଥିତ ଶ୍ରୀକୃଷ୍ଣ ଧ୍ୟାନ ମନ୍ଦିର ଏବଂ ସୀତାରାମ ଧ୍ୟାନ ଆଞ୍ଜନେୟ ମନ୍ଦିର କମିଟି ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ଡେଲି ମାର୍କେଟ ଅଞ୍ଚଳ ସମେତ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସକାଳ ୫ଟାରେ ଠାକୁରଙ୍କ ଦିବ୍ୟ ଅଭିଷେକ ଓ ପୂଜାର୍ଚ୍ଚନା ସହ ଦିନବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ସକାଳ ୯ଟାରେ ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଦିନ ୧୨ଟାରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉତ୍ସବରେ କାଡ୍ରାକାପ୍ଲା ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମଞ୍ଜୁଳା ମିନାୟକା, ବସନ୍ତ ଓ ଲୋକା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ପାରମ୍ପରିକ ମାଠିଆ ଫୋଡ଼ା ବା ‘ଉଟ୍ଟି କୋଟାଡାମ’ କାର୍ଯ୍ୟକ୍ରମ। ଏହାକୁ ଦେଖିବା ପାଇଁ ବହୁସଂଖ୍ୟକ ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ସମାଗମ ହୋଇଥିଲା। ଶେଷରେ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ମଙ୍ଗଳ ଆରତୀ ଅନୁଷ୍ଠିତ ହେବା ପରେ ଦିନବ୍ୟାପୀ ଉତ୍ସବର ସମାପନ ହୋଇଥିଲା। ଏହି ଅବସରରେ କମିଟି ସଭାପତି ଏସ୍. ବାଙ୍ଗାରି ବାବୁ, ସମ୍ପାଦକ ଇ. ଅନିଲ କୁମାର, ଉପସଭାପତି କୋଲା ଆପାରାଓ ଓ ପ୍ରତିଷ୍ଠାତା କେ. ରାବଣା ରାଓଙ୍କ ସମେତ ମୋବଲ ରାବଣା, କିଶୋର, ପି. ମୁରଲୀ, ବିଜୟ ଏବଂ ଅନ୍ୟାନ୍ୟ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବହୁସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଥିଲା।