ଯୁବ ଶକ୍ତି ସଂଗଠିତ ହେଲେ ବିଞ୍ଝାରପୁରରେ ସଫଳତା ମିଳିବ: ବବିତା
ବିଂଝାରପୁର , ୨୭/୦୯ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରୀତିପୁର ସାଇନପଡ଼ାଠାରେ ବିଜେପି ପକ୍ଷରୁ ବିଭିନ୍ନ ପଞ୍ଚାୟତର ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନେଇ ‘ଯୁବ ସଂକଳ୍ପ ସମାବେଶ’ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପାଳିତ ‘ସେବା ପକ୍ଷ’ର ଅଂଶ ଭାବେ ଏଠାରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା।ବିଞ୍ଝାରପୁର ବିଜେପି ସଭାନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବବିତା ମଲ୍ଲିକ, ନିର୍ବାଚନମଣ୍ଡଳୀ ସଂଯୋଜକ ନିରଞ୍ଜନ ବେଉରିଆ ଓ ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ପୁରୁଷୋତ୍ତମ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏଥିସହ ସିଂହପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଦେବେନ୍ଦ୍ର କୁମାର ମଲ୍ଲିକ, ବିଞ୍ଝାରପୁରର ସୁନୀଲ କୁମାର ସାହୁ, ଅରେଇର ଧନେଶ୍ୱର ଜେନା, ଜୟଚଣ୍ଡିର ମନୋଜ ଜେନା, କଲ୍ୟାଣପୁରର ଶୁଭ୍ରାଂଶୁ ଶେଖର ସାମଲ ଓ ବାଘୁଆସୁଣୀର ଶ୍ରୀକାନ୍ତ ନାୟକ ଉପସ୍ଥିତ ଥିଲେ। ବକ୍ତାମାନେ ଯୁବଶକ୍ତିକୁ ସଂଗଠିତ କରି ସାଧାରଣ ଲୋକଙ୍କ ଅଧିକାର ଓ ସରକାରୀ ସେବା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଲୋକଙ୍କୁ ନିଜ ହକ୍ ପାଇଁ ଲାଞ୍ଚ ଦେବା କିମ୍ବା ସେବା ପାଇଁ ବାରଦୁଆର ହେବାକୁ ପଡ଼ିବ ନାହିଁ—ଏହି ଲକ୍ଷ୍ୟ ନେଇ କାମ କରିବା ଆବଶ୍ୟକ ବୋଲି ସେମାନେ କହିଥିଲେ। ‘ଜୟ ଶ୍ରୀରାମ’ ନାରାର ସମ୍ମାନ ଲୋକସେବା ମାଧ୍ୟମରେ ପ୍ରତିଫଳିତ ହେବା ଉଚିତ ବୋଲି ବକ୍ତାମାନେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଜୟନ୍ତ ଷଡ଼ଙ୍ଗୀ, ମଳୟ ନାୟକ, ଉପେନ୍ଦ୍ର ଧଳ, ଗଣେଶ ସାହୁଙ୍କ ସମେତ ବହୁ ନେତୃବୃନ୍ଦ ଓ ଯୁବ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ସଭା ଶେଷରେ ବବିତା ମଲ୍ଲିକ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏକତାର ସହ କାମ କରି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। ସଂଗଠିତ ଭାବେ କାର୍ଯ୍ୟ କଲେ ବିଞ୍ଝାରପୁରବାସୀଙ୍କ ଆସ୍ଥା ହାସଲ କରାଯାଇପାରିବ ବୋଲି ସେ କହିଥିଲେ |