ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁବର୍ଣ୍ଣପୁରରେ ମାରାଥନ ଆୟୋଜିତ
ସୁବର୍ଣ୍ଣପୁର, ୨୭/୦୯ ( ଜଗଦିଶ ମେହେର ) : ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଏକ ମାରାଥନ ଆୟୋଜିତ ହୋଇଛି। ଆଜିର ପର୍ଯଟନ ଦିବସର ଆଭିମୁଖ୍ୟ ହେଉଛି ଡିଜିଟାଲ ଏବଂ ଏ.ଆଇ ର ପର୍ଯଟନ ବୃଦ୍ଧିରେ ଭୂମିକା | ଆଗାମୀ ଡିସେମ୍ବର ମାସରେ ପୁରୀରେ ହେବାକୁ ଥିବା ଗଣଦୌଡ଼ ପାଇଁ ସମସ୍ତ ଜିଲ୍ଲା ପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ତାର ପ୍ରମୋସନ ହେଉଛି | ସୁରେଶ୍ୱରୀ ମନ୍ଦିରଠାରୁ ଆରମ୍ଭ ହୋଇଥିବା ଏହି ମାରାଥନ ନଳିନୀ ଛକ, ବିଜୁ ପଟ୍ଟନାୟକ ଛକ, ମଝିପଡ଼ା, ମସଜିଦ ଛକ ଓ କୋର୍ଟ ଛକ ଦେଇ ସୋନପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସୁରେଶ୍ୱରୀ ମନ୍ଦିରଠାରେ ସୁବର୍ଣ୍ଣପୁର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମାରାଥନରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମନୋବଳ ବଢ଼ାଇଥିଲେ। ସେ କହିଥିଲେ ଯେ, ଆଜିର ଡିଜିଟାଲ ଯୁଗରେ ଯୁବପିଢ଼ି ରିଲ୍ସ ମାଧ୍ୟମରେ ବିଭିନ୍ନ ଲୁକ୍କାୟିତ ସ୍ଥାନକୁ ଲୋକଲୋଚନକୁ ଆଣୁଛନ୍ତି। ଏହା ଦ୍ୱାରା ସେହି ଅଞ୍ଚଳର ପର୍ଯ୍ୟଟନର ବିକାଶ ସହ ଅର୍ଥନୀତିକୁ ସୁଦୃଢ଼ କରିବାରେ ମଧ୍ୟ ସହାୟତା ମିଳୁଛି। ମାରାଥନ କାର୍ଯ୍ୟକ୍ରମ ପାଇଁ ସକାଳ ୫.୧୫ରେ ସୁରେଶ୍ୱରୀ ମନ୍ଦିରଠାରେ ଅଂଶଗ୍ରହଣକାରୀଙ୍କ ରିପୋର୍ଟିଂ, ୫.୩୦ରେ ପତାକା ଦେଖାଇ ମାରାଥନର ଶୁଭାରମ୍ଭ, ୬.୩୦ରେ ପଞ୍ଜୀକରଣ ଓ ଟି-ସାର୍ଟ ବଣ୍ଟନ ଏବଂ ୮.୦୦ରେ ମାରାଥନ ପରବର୍ତ୍ତୀ ଜଳଖିଆର ବ୍ୟବସ୍ଥା କରାଯାଇଥିଲା। ଏହି ମାରାଥନରେ ସୋନପୁର ମହାବିଦ୍ୟାଳୟର ଏନ୍ସିସି ଓ କଲେଜ ଆଥଲେଟିକ୍ ଛାତ୍ରଛାତ୍ରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖେଲୋ ଇଣ୍ଡିଆ ଛାତ୍ରଛାତ୍ରୀ ଏବଂ ମାଇ ଭାରତ ଓ ଏନ୍ଏସ୍ଏସ୍ ସହ ଜଡ଼ିତ ଅଂଶଗ୍ରହଣକାରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗଙ୍କ ମଧ୍ୟରେ ପର୍ଯ୍ୟଟନ ପ୍ରତି ସଚେତନତା ସହିତ ଶାରୀରିକ ସୁସ୍ଥତା ଓ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧିର ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ଡେପୁଟି କଲେକ୍ଟର, ଜରୁରୀ ଶାଖା ରାଜେଶ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାସ, ଡେପୁଟି କଲେକ୍ଟର ଆଜାଦ ସାହୁ ଏବଂ କ୍ଲିଣ୍ଟନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।