ଦୁଇ ମାସ ହେଲା ପାଣିରେ ବୁଡ଼ି ରହିଛି ପଣିସାପଡା ସର0କାରୀ ପ୍ରାଥମିକ ବିଦ୍ୟାଳୟ: ଅସ୍ଥାୟୀ ଚୁଲିରେ ମଧ୍ୟାହ୍ନ ଭୋଜନ, ଆନ୍ଦୋଳନ ଚେତାବନୀ ଦେଲେ ଅଭିଭାବକ l
ବାଲେଶ୍ଵର, ୧୩/୦୯ ( ପ୍ରଭାକର ମଲ୍ଲିକ ) : ମୟୂରଭଞ୍ଜ ଓ ବାଲେଶ୍ବର ସୀମାନ୍ତ ରେ ଅବସ୍ଥିତ ପଣିସାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଗତ ଜୁନ୍ ମାସ ୨୮ ତାରିଖରୁ ପାଣି ଘେରରେ ରହିଛି। ଦୀର୍ଘ ଦୁଇ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ବିଦ୍ୟାଳୟ ପରିସରରୁ ପାଣି କମିବାର ନାଁ ନେଉନାହିଁ। ମୟୂରଭଞ୍ଜ ଅଞ୍ଚଳରେ ପ୍ରବଳ ବର୍ଷା ହେବା କାରଣରୁ ବର୍ଷାଜଳ ଆସି ଏହି ବିଦ୍ୟାଳୟ ଭିତରେ ଜମା ହେଉଥିବାବେଳେ ସେଠାରୁ ଜଳ ନିଷ୍କାସନ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟାଳୟ ପରିସର ଏବଂ ଶ୍ରେଣୀଗୃହଗୁଡ଼ିକରେ କ୍ରମାଗତ ଭାବେ ପାଣି ଜମି ରହିବା କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ପାଣିରେ ସାପ, ଜୋକ ଏବଂ ବେଙ୍ଗ ଆଦି ବିଷାଧର ଜୀବଜନ୍ତୁ ବୁଲୁଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଭୟାବହ ପରିସ୍ଥିତି ଯୋଗୁଁ ଅଭିଭାବକ ମାନେ ଭୟଭୀତ ହୋଇ ପିଲାମାନଙ୍କୁ ସ୍କୁଲକୁ ପଠାଉ ନାହାନ୍ତି।ଅନ୍ୟପକ୍ଷରେ, ବିଦ୍ୟାଳୟର ରୋଷେଇ ଘରେ ମଧ୍ୟ ବର୍ଷାଜଳ ପଶିଯାଇଥିବାରୁ ରୋଷେଇୟା ବା ସେବିକା ମାନେ ଅସ୍ଥାୟୀ ଚୁଲି ନିର୍ମାଣ କରି ବାଧ୍ୟ ହୋଇ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଛନ୍ତି। ଏହି ଗୁରୁତର ସମସ୍ୟା ପ୍ରତି ସମ୍ପୃକ୍ତ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନଥିବାରୁ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯଦିଶୀଘ୍ର ଏହି ଜଳବନ୍ଦୀ ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l