କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି I
କଳାହାଣ୍ଡି, ୨୩/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଜୟପIଟଣା ବ୍ଲକ ଜୟପାଟଣା-ଚିରକା ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏରୁ ଅଣ୍ଟେ ଉଚ୍ଚର ପାଣି ଚାଲୁଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି I ଲଗାତାର ଲାଗି ରହିଥିବା ବର୍ଷା ଯୋଗୁଁ ଡ୍ରେନେଜ୍ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍ ମାରିଛି I ସହରର ପ୍ରମୁଖ ସାଇ ଗୁଡ଼ିକରେ ଲୋକଙ୍କ ଘର ଭିତରେ ବର୍ଷା ପାଣି ପ୍ରବେଶ କରିଛି I ଶୋଇବା ଘରଠୁ ନେଇ ରୋଷେଇ ଘର ପର୍ଯ୍ୟନ୍ତ ସବୁଠି କେବଳ ପାଣି ଆଉ ପାଣି I ବ୍ୟବସାୟୀଙ୍କ ଦୋକାନ ଭିତରେ ପାଣି ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି I ଲୋକେ ଘରୁ ପାଣି ନିଷ୍କାସନ କରିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି I କେବଳ ସହର ଭିତରେ ନୁହେଁ, ଯାତାୟତ ବ୍ୟବସ୍ଥା ମଧ୍ୟ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି I ଜୟପାଟଣାରୁ ଚିର୍କାଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ପ୍ରାୟ ଦୁଇ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି । ପାଣିର ପ୍ରଖର ସୁଅ ଯୋଗୁଁ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଯାହାଫଳରେ ଯାତ୍ରୀ ଓ ସ୍ଥାନୀୟ ଲୋକେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଥିବା ଦେଖିବାକୁ ମିଳିଛି I ଅନ୍ୟପଟେ ଏହି ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି, ଶହ ଶହ ଏକର ଚାଷ ଜମି ଉପରେ ଏବେ ତିନି ଫୁଟ୍ରୁ ଅଧିକ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି । ପାଣିରେ ବୁଡ଼ି ରହି ସଦ୍ୟ ରୁଆ ଯାଇଥିବା ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ