ବଜ୍ରାଘାତରେ ଶାରୀରିକ ଶିକ୍ଷକଙ୍କ ଅକାଳ ମୃତ୍ୟୁ
ଲଇକେରା, ୦୩/୦୮ ( ନବଦୂତ ) : ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ବାବୁଛିପିଡିହିରେ କାର୍ଯ୍ୟରତ ଶାରୀରିକ ଶିକ୍ଷକ ରମେଶ ପଟେଲଙ୍କ ବଜ୍ରାଘାତରେ ଅକାଳ ମୃତ୍ୟୁ ଘଟିଛି l ସୂଚନା ଅନୁସାରେ ଆଜି ସୋମବାର ପ୍ରାୟ ୧୨ଟା ସମୟରେ ଅସହ୍ୟ ଗୁଲୁଗୁଲି ହେବାରୁ ବିଦ୍ୟାଳୟ ପରିସରରେ ଥିବା ମହୁଲଗଛ ତଳେ ଚଉକିରେ ବସିଥିବାବେଳେ ଅଚାନକ ପ୍ରକୃତିର କରାଳ ବିଭୀଷିକା ବଜ୍ରାଘାତରେ ଟଳି ପଡିଲେ ଶ୍ରୀଯୁକ୍ତ ପଟେଲ l ପ୍ରଧାନ ଶିକ୍ଷକ ବସନ୍ତ କଉଡ଼ି ସମେତ ସହକାରୀ ଶିକ୍ଷକଗଣ ସେଠାକୁ ଆସି ତୁରନ୍ତ ଆମ୍ବୁଲାନ୍ସରେ ନିକଟସ୍ଥ ସରକାରୀ ଡାକ୍ତରଖାନା ମୁଦ୍ରାଯୋରକୁ ନେଇ ଆସିଥିଲେ l ପରିସ୍ଥିତି ଗମ୍ଭୀର ଦେଖି ଡାକ୍ତର ପ୍ରାଥମିକ ଚିକିତ୍ସା ଯୋଗାଇଦେଇ ରେଫର କରିଦେଇଥଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଝାରସୁଗୁଡାକୁ l ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୫୯ ବର୍ଷ ହେଉଥିଲା l ଲଇକେରା ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶଵ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠେଇଦେଇଛି l ଶ୍ରୀଯୁକ୍ତ ପଟେଲ ଜଣେ ମିଷ୍ଟଭାଷୀ ସରଳ ନିଷ୍କପଟ, କର୍ତ୍ତବ୍ୟନିଷ୍ଠ ଶାରୀରିକ ଶିକ୍ଷକ ଭାବରେ ଲାଇକେରା ବ୍ଲକରେ ସୁପରିଚିତ l ତାଙ୍କ ଅକାଳ ବିୟୋଗରେ ବ୍ଲକର ଶିକ୍ଷା ବିଭାଗ, ଶିକ୍ଷକମହଲ, ଛାତ୍ରଛାତ୍ରୀ, ଅଭିଭାବକ ତଥା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l