ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ; କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ
କଳାହାଣ୍ଡି, ୦୭/୦୮ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। କର୍ମେ ବିଟ୍ ଅନ୍ତର୍ଗତ ଜାମପଡ଼ା ଓ ଖଇରମାଲ ମଧ୍ୟବର୍ତ୍ତୀ ଜଙ୍ଗଲରୁ ଏକ ଛୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀର ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନର୍ଲା ରେଞ୍ଜ ଅଧୀନ କର୍ମେ ବିଟ୍ର ଜାମପଡ଼ା ଓ ଖଇରମାଲ ମଧ୍ୟରେ ଥିବା ଜଙ୍ଗଲରେ ଏକ ଛୁଆ ଦନ୍ତା ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀର ଯାଞ୍ଚ କରିବା ସହ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି। ତେବେ ହାତୀଟିର ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ବନ ବିଭାଗର ତଦନ୍ତ ଓ ଆବଶ୍ୟକ ପରୀକ୍ଷା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ ମାସ ୨୪ ତାରିଖରେ ମଧ୍ୟ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଧା ବିଟ୍ରେ ଏକ ବୟସ୍କ ଦନ୍ତା ହାତୀର ମୃତଦେହ ମିଳିଥିଲା। ସେତେବେଳେ ଦୁଇ ହାତୀଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ ପୁଣି ସମାନ ରେଞ୍ଜରେ ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ୍ୟଜନ୍ତୁ ସୁରକ୍ଷା ଓ ହାତୀଙ୍କ ସୁରକ୍ଷିତ ବିଚରଣକୁ ନେଇ ନୂଆ ପ୍ରଶ୍ନ ଉଠାଇଛି। ବନ ବିଭାଗର ତଦନ୍ତ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ।