ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।
ରାୟଗଡ଼ା, ୧୪/୦୮ ( ଭି. ଗୌରି ଶଙ୍କର ରାଓ ) : ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରୀଙ୍କୁ ଭର୍ତ୍ତି କରାଯାଇଛି। ଛାତ୍ରୀ ଜଣକ ହେଲେ ରାୟଗଡ଼ା ଆର୍କେ ନଗର ଅଞ୍ଚଳର ଈଶ୍ୱରୀ ନାୟକ। ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ସ୍ୱାଧୀନତା ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଈଶ୍ୱରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଅଭ୍ୟାସ ପାଇଁ ଅନ୍ୟତ୍ର ରଖାଯାଇଥିବା ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ କୋଠରିର ଝରକାରେ ଥିବା ବିଦ୍ୟୁତ ସଂଯୋଗ ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।