Hot Posts

6/recent/ticker-posts

ତାଲା ଭାଙ୍ଗି ସୁନା ଓ ରୂପା ଅଳଙ୍କାର ଲୁଟ୍; ଥାନାରେ ଅଭିଯୋଗ

ଝରିଗାଁ, ୧୮/୦୮ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧୀନ ବଞ୍ଜିଆମ୍ବ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ବଞ୍ଜିଆମ୍ବ ଗ୍ରାମର ଶିବାନୀ ପାଣ୍ଡେ ଓ ତାଙ୍କ ସ୍ୱାମୀ ଉଦ୍ଧବାନ ପାଣ୍ଡେଙ୍କର ଦୁଇଟି ବଖରା ଘର ରହିଛି। ଗୋଟିଏ ବଖରାରେ ସେମାନଙ୍କ ପୁଅ ସନୁ ପାଣ୍ଡେ ଓ ବୋହୂ ରହୁଥିବା ବେଳେ ଅନ୍ୟ ଘରଟିରେ ଦମ୍ପତି ରହୁଥିଲେ। ଗତ ୧୫ ତାରିଖରେ ପୁଅ ଓ ବୋହୂ ଘରେ ତାଲା ପକାଇ ବୋଲବମ୍ ଯାତ୍ରାରେ ଯାଇଥିଲେ। ଘରେ ଶିବାନୀ ଏକାକୀ ରହୁଥିବାର ସୁଯୋଗ ନେଇ ୧୭ ତାରିଖ ରାତିରେ ଅଜଣା ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘର ଭିତରେ ପଶିଥିଲେ। ସେମାନେ ଆଲମାରି ଭାଙ୍ଗି ସେଥିରେ ଥିବା ପ୍ରାୟ ୮ ତୋଳାର ସୁନା ମାଳି, ରୂପା ପାଟି, ଅଣ୍ଟା ସୂତା, ଡେଣା ପଟି ଆଦି ଅଳଙ୍କାର ସହ ନଗଦ ୨ ହଜାର ଟଙ୍କା ଲୁଟି ନେଇଥିଲେ। ୧୮ ତାରିଖ ସକାଳେ ଘରର କବାଟ ଖୋଲା ଓ ତାଲା ଭଙ୍ଗା ଯାଇଥିବା ଦେଖି ପରିବାର ଲୋକେ ଭିତରକୁ ଯାଇ ଯାଞ୍ଚ କରିବାରୁ ଚୋରି ବିଷୟରେ ଜଣାପଡ଼ିଥିଲା। ଏନେଇ ଶିବାନୀ ପାଣ୍ଡେ ଝରିଗାଁ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଘଟଣାର ତୁରନ୍ତ ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।