ଖରସ୍ରୋତା ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା; ଛାତ୍ରଛାତ୍ରୀ ନେଲେ ଜାତୀୟ ଶପଥ
ବିଂଝାରପୁର, ୧୮/୦୮ (ପ୍ରଦୀପ କୁମାର ମଲ୍ଲିକ) : ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ମଙ୍ଗଳବାର ନିଶାମୁକ୍ତି ଅଭିଯାନ ପାଳିତ ହୋଇଯାଇଛି। ନିଶାମୁକ୍ତ ଭାରତ ଅଭିଯାନର ଷଷ୍ଠ ବାର୍ଷିକ ପାଳନ ଅବସରରେ ଭାରତ ସରକାରଙ୍କ ଆହ୍ଵାନକ୍ରମେ ନିଶାମୁକ୍ତ ତଥା ବିକଶିତ ଭାରତ ଗଠନରେ ଯୁବଶକ୍ତିଙ୍କୁ ବ୍ରତୀ କରିବା ଏବଂ ନିଶାଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଦ୍ଦେଶ୍ୟରେ ଅଗଷ୍ଟ ୧୮ ତାରିଖକୁ ଶପଥ ଗ୍ରହଣ ଦିବସ ଭାବେ ସ୍ଥିର କରାଯାଇଥିଲା। ସରକାରଙ୍କ ଏହି ଜନସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ଖରସ୍ରୋତା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ନିଶା କେତେ ମାରାତ୍ମକ ଏବଂ ଏହା କିପରି ଯୁବପିଢ଼ିକୁ ଆକ୍ରାନ୍ତ, କବଳିତ ଓ ବିପଥଗାମୀ କରୁଛି, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନିଶାର କବଳରୁ ନିଜକୁ ତଥା ସମାଜକୁ କିପରି ରକ୍ଷା କରାଯାଇପାରିବ, ସେନେଇ ମଧ୍ୟ ମତବିନିମୟ ହୋଇଥିଲା। ଏହି ଅବସରରେ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ, ମୀନ କେତନ ତ୍ରିପାଠୀ, ସୁବାଷ ଚନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ମିଶ୍ର , ଅରୁଣ କୁମାର ସାମଲ, ବୈଭବ ନାୟକ, ଦୀପ୍ତି ରଂଜନ ସେନାପତି, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ସ୍କୃତିସ୍ମିତା ନାୟକ, ଚନ୍ଦନ ପତି, ୟୁଥ୍ ରେଡକ୍ରସର କାଉନସେଲର ନୀଳମଣି ମଲ୍ଲିକ,ଅଧ୍ୟାପକ ସୁରେନ୍ଦ୍ର କୁମାର ସାମଲ , ଅଧ୍ୟାପିକା ମମତାମୟୀ ସାମଲ, ଗାୟତ୍ରୀ ଧଳ, ରୂପାଲୀ ମହାରଣା, ଜ୍ୟୋତି ପ୍ରଭା ମହାନ୍ତି, ରୁବି ଏକା ଓ ଝରଣା ଦେହୁରୀ ପ୍ରମୁଖ ମଞ୍ଚ ପରିଚାଳନା ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମା କୁମାରୀଜ୍ ସିଂହପୁର ସେବାକେନ୍ଦ୍ରର ବି.କେ. ଶାନ୍ତି ଭଉଣୀ, ମିତା ଭଉଣୀ, ବି.କେ. କାହ୍ନା ଭାଇ ଓ ବ୍ରଜଭାଇ ଯୋଗଦେଇ ‘ଦଶ କୋଟି ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନ’ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ। ସଭା ଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ନିଶାଠାରୁ ଦୂରେଇ ରହିବା ସହ ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଜାତୀୟ ଶପଥ ଗ୍ରହଣ କରିଥିଲେ। ଯୁବପିଢ଼ି ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ସହ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ଦିଗରେ ଏଭଳି ଅଭିଯାନର ଗୁରୁତ୍ୱ ରହିଛି।