Hot Posts

6/recent/ticker-posts

ମିଶନଶକ୍ତି ସଚେତନତା ର ଅଭାବରୁ ସରକାରୀ ସୁବିଧା ରୁ ବଞ୍ଛିତ କୋୟା ସମ୍ପ୍ରଦାୟ

ମାଲକାନଗିରି, ୦୪/୦୮ (ଶ୍ରୀ ଶରତ ଚନ୍ଦ୍ର ଖରା) : ମାଲକାନଗିରି ଜିଲ୍ଲା ମଥିଲି ବ୍ଳକ ରେ ମିଶନ ଶକ୍ତି ସଚେତନତାର ଅଭାବରୁ ସରକାରୀ ସୁବିଧାରୁ ବଞ୍ଚିତ କୋୟା ସମ୍ପ୍ରଦାୟର ମହିଳା; ଏସ୍ ଏଚ୍ ଜି ଗଠନ ପାଇଁ ବିଡିଓଙ୍କୁ ଦରଖାସ୍ତ ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦର ପଞ୍ଚାୟତର ଡଙ୍ଗରିଗୁଡା ଗ୍ରାମର ନୂଆସାହିର କୋୟା ସମ୍ପ୍ରଦାୟର ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ ଏଚ୍ ଜି) ଗଠନ କରିବା ଉଦ୍ଦେଶ୍ୟରେ ସୋମବାର ମାଥିଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିକଟରେ ଲିଖିତ ଦରଖାସ୍ତ ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଂଗଠିତ କରି ସରକାରୀ ଯୋଜନା ସହ ଯୋଡ଼ିବା, ସଚେତନ କରିବା ଏବଂ ଆର୍ଥିକ ସ୍ୱାବଲମ୍ବୀ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ସଚେତନତାର ଅଭାବ ଯୋଗୁଁ ଏହି ଅଞ୍ଚଳର ମହିଳାମାନେ ଆଜି ପର୍ଯ୍ୟନ୍ତ ଏସ୍ ଏଚ୍ ଜି ଗଠନ କରିପାରିନାହାନ୍ତି। ଫଳରେ ସେମାନେ ବିଭିନ୍ନ ସରକାରୀ ସୁବିଧା ଓ ଆର୍ଥିକ ସହାୟତାରୁ ବଞ୍ଚିତ ରହିଛନ୍ତି। ଅଭିଯୋଗ ହେଉଛି, ମିଶନ ଶକ୍ତି ବିଭାଗ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ପର୍ଯ୍ୟାପ୍ତ ପରିମାଣରେ ହୋଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସମାଜସେବୀ ଜଗନ୍ନାଥ ମାଦ୍ରୀଙ୍କ ସହଯୋଗରେ ମହିଳାମାନେ ଏକତ୍ରିତ ହୋଇ ଏସ୍ ଏଚ୍ ଜି ଗଠନ ପାଇଁ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି। ମହିଳାମାନେ ଦାବି କରିଛନ୍ତି ଯେ, ସେମାନଙ୍କ ଗ୍ରାମରେ ଶୀଘ୍ର ଏସଏଚଜି ଗଠନ କରାଯାଇ ମିଶନ ଶକ୍ତି ଅଧୀନରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ଓ ଜୀବିକାଭିତ୍ତିକ ଯୋଜନାର ଲାଭ ପ୍ରଦାନ କରାଯାଉ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।