ଆନନ୍ଦ ମାର୍ଗ ରିଲିଫ ଟିମ ପକ୍ଷରୁ ବରୀ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍ ସହାୟତା
ବରୀ, ୦୪/୦୮ ( ରଂଜିତ ମହାନ୍ତି ) : ସମ୍ପ୍ରତି ଯାଜପୁର ଜିଲ୍ଲାରେ ହୋଇଥିବା ଭୟାବହ ବନ୍ୟା ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ବରୀ ବ୍ଲକର ଅନେକ ଗ୍ରାମ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶ୍ୱ ସେବା ସଂସ୍ଥା "ଆନନ୍ଦ ମାର୍ଗ ୟୁନିଭର୍ସାଲ ରିଲିଫ୍ ଟିମ୍ (ଅମୃତ)" ପକ୍ଷରୁ ଆଜିଠାରୁ ଜରୁରୀକାଳୀନ ବନ୍ୟା ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତ ଓ କାହ୍ନୁ ଚରଣ ବେହୁରାଙ୍କ ନେତୃତ୍ୱରେ ୨୦ରୁ ଅଧିକ ସ୍ୱେଚ୍ଛାସେବୀ କିମ୍ଭିରିଆପାଳ ପଞ୍ଚାୟତର ଶବର ସାହି, ଉଦୟପୁର, ବରୀ ଚିନ୍ତାସାହି ଓ ଅନ୍ୟ ଗ୍ରାମରେ ସାମୁଦାୟିକ ରୋଷେଇ ମାଧ୍ୟମରେ ବନ୍ୟାପୀଡ଼ିତ ଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରିଥିଲେ। ଏହା ସହିତ ବନ୍ୟାପୀଡ଼ିତ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସହାୟତା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ରିଲିଫ୍ କାର୍ଯ୍ୟକୁ ଅଧିକ ସୁସଂଗଠିତ କରିବା ପାଇଁ ପ୍ରଭାବିତ ଅଞ୍ଚଳରେ ରାପିଡ୍ ନିଡ୍ ଆସେସମେଣ୍ଟ ମଧ୍ୟ କରାଯାଇଛି। ଯାହାଦ୍ୱାରା ସର୍ବାଧିକ ଅସହାୟ ଓ ଆବଶ୍ୟକତା ଥିବା ପରିବାରମାନଙ୍କୁ ଚିହ୍ନଟ କରାଯାଉଛି। ବନ୍ୟା ଯୋଗୁଁ ଅନେକ ପରିବାର ଖାଦ୍ୟ, ଆଶ୍ରୟ ଓ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଅନ୍ୟାନ୍ୟ ଦୁର୍ବଳ ବର୍ଗ ଅତ୍ୟନ୍ତ ଦୁଃସହ ପରିସ୍ଥିତିରେ ଜୀବନଯାପନ କରୁଛନ୍ତି। ଏହି ରିଲିଫ୍ କାର୍ଯ୍ୟରେ ସରୋଜ ମହାପାତ୍ର, ତାରାକାନ୍ତ ଆଚାର୍ଯ୍ୟ, ଗଣେଶ ଚନ୍ଦ୍ର ପରିଡ଼ା, ମୋହନ ଚନ୍ଦ୍ର ଜେନା, ତପନ ପ୍ରଧାନ, ରଶ୍ମିତା ଯତି, ଅର୍ଚ୍ଚନା ସାମଲ, ପ୍ରଜ୍ଞା ପରିମିତା ମଲିକ, ଆଶିଷ କୁସୁମ, ମେଘଶ୍ୟାମ, ଶୁଭ୍ର ପଣ୍ଡା, ଜ୍ୟୋସ୍ନାମୟୀ ରଣା, ଜିନାରାଣୀ ମଲିକଙ୍କ ସମେତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଆଜି ସଂଗଠନ ପକ୍ଷରୁ ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା। ବରୀ ଅଞ୍ଚଳର ମାଳଦା କୁସୁମପଡ଼ିଆ, ବରୀ ବିଲ ସାହି ଓ ଯେନା ସାହିରେ ରାସନ ସାମଗ୍ରୀ ଓ ବିସ୍କୁଟ ବଣ୍ଟନ କରାଯାଇଥିବା ବେଳେ କିମ୍ଭିରିଆପାଳ ଶବର ସାହିରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା।