Hot Posts

6/recent/ticker-posts

୨୧ ପଞ୍ଚାୟତର ବନ୍ୟାବିପନ୍ନଙ୍କ ପାଖରେ ବିଂଝାରପୁର ବିଜେପି, ବଣ୍ଟନ କଲା ରିଲିଫ୍ ସାମଗ୍ରୀ

ବିଂଝାରପୁର, ୨୩/୦୮ (ପ୍ରଦୀପ କୁମାର ମଲ୍ଲିକ) : ବନ୍ୟା ବିପତ୍ତିରେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶା ଭୋଗୁଥିବା ପରିବାରଙ୍କ ନିକଟରେ ପହଞ୍ଚିଛି ବିଂଝାରପୁର ବିଜେପି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତାରେ ବନ୍ୟା ପ୍ରଭାବିତ ବିଂଝାରପୁର ଓ ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ବିଂଝାରପୁର ମଣ୍ଡଳର ସମସ୍ତ ସଭାପତି, ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଓ ଯୁବ କାର୍ଯ୍ୟକର୍ତ୍ତାମାନେ ଏହି ସେବା କାର୍ଯ୍ୟରେ ସାମିଲ ହୋଇଥିଲେ।ବନ୍ୟା ପ୍ରଭାବିତ ଅଞ୍ଚଳର ପରିବାରଙ୍କୁ ଅଟା, ସୁଜି, ମୁଢ଼ି, ଚୁଡ଼ା, ପାଣି ବୋତଲ ଓ ଗୋଖାଦ୍ୟ ସମେତ ବିଭିନ୍ନ ଆନୁସଙ୍ଗିକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। ବିଂଝାରପୁର ବ୍ଲକର ସିଂହପୁର, ଜରି, ଓଳେଇ ଚନ୍ଦନପୁର, ବାଙ୍ଗରା, ହଳଦିଡିହ, ଆଉଁରୀ, ଟିଣା, ପ୍ରୀତିପୁର, କପିଳା, ଚନ୍ଦ୍ରମୁଁ, ରଣପୁର ଓ କଲ୍ୟାଣପୁର ଅଞ୍ଚଳରେ ଏହି ସହାୟତା ପହଞ୍ଚାଯାଇଥିଲା।ସେହିପରି ଦଶରଥପୁର ବ୍ଲକର କଇଂଆଁ, କମାଡିହ, ଦତ୍ତପୁର, ନିଜାମପୁର, ଖାନନଗର, ଥାଲୁକୁଡି, ପାଲଟପୁର, ଜାଫରପୁର ଓ ବିରିପଟା ପ୍ରଭୃତି ଗ୍ରାମର ବନ୍ୟା ପ୍ରଭାବିତ ପରିବାରଙ୍କୁ ମଧ୍ୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଜଳବନ୍ଦୀ ଅବସ୍ଥାରେ ରହୁଥିବା ଲୋକଙ୍କ ନିକଟରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସିଧାସଳଖ ପହଞ୍ଚି ଆବଶ୍ୟକ ସାମଗ୍ରୀ ପ୍ରଦାନ କରିଥିଲେ।ଏହି ଅବସରରେ ବିଂଝାରପୁର ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ ନିରଂଜନ ବେଉରିଆ, ପୁରୁଷୋତ୍ତମ ବେହେରା ପ୍ରମୁଖ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ବନ୍ୟାକ୍ଲିଷ୍ଟଙ୍କ ମୁହଁରେ ହସ ଫୁଟାଇଛି। ଆଗାମୀ ଦିନରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ମଧ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଥିଲା। ବନ୍ୟା ସମୟରେ ସରକାରଙ୍କ ପକ୍ଷରୁ ତ୍ୱରିତ ସହାୟତା ଯୋଗାଇଦେବା ସହ ବିପନ୍ନଙ୍କ ପାଖରେ ଦଳୀୟ ନେତା ଓ କର୍ମୀମାନେ ପହଞ୍ଚିବା ଫଳରେ ସାଧାରଣ ଲୋକଙ୍କ ମନରେ ସରକାର ଓ ସଂଗଠନ ପ୍ରତି ଆସ୍ଥା ବଢ଼ିଥିବା ଦଳୀୟ ନେତାମାନେ ପ୍ରକାଶ କରିଥିଲେ। ବିପଦ ସମୟରେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବାକୁ ଦଳ ପ୍ରାଥମିକତା ଦେଉଥିବା ସେମାନେ କହିଥିଲେ। ବନ୍ୟାରେ ଘରଦ୍ୱାର, ଚାଷଜମି ଓ ଜୀବିକା ପ୍ରଭାବିତ ହୋଇଥିବା ପରିବାରଗୁଡ଼ିକ ଏହି ସହାୟତା ପାଇ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ। ଆବଶ୍ୟକତା ଅନୁଯାୟୀ ଆଗାମୀ ଦିନରେ ମଧ୍ୟ ବନ୍ୟା ପ୍ରଭାବିତଙ୍କ ପାଖରେ ରହି ସହଯୋଗ ଜାରି ରଖାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ବିଂଝାରପୁରର ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ନିରଂଜନ ବେଉରିଆ, ପୁରୁଷୋତ୍ତମ ବେହେରା, ଶିବପ୍ରସାଦ ଧଳ, ମଞ୍ଜୁଲତା ପଣ୍ଡା, ରବୀନ୍ଦ୍ର ବେହୁରିଆ ଓ ଶ୍ରୀଧର ଜେନା ପ୍ରମୁଖ ଉପସ୍ଥିତ ରହି ବନ୍ୟାବିପନ୍ନଙ୍କୁ ସହାୟତା ପହଞ୍ଚାଇବାରେ ସହଯୋଗ କରିଥିଲେ। ବନ୍ୟା ଦୁର୍ବିପାକ ସମୟରେ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଓ ଆବଶ୍ୟକ ସହଯୋଗ ଯୋଗାଇଦେବା ଦ୍ୱାରା ବିଂଝାରପୁର ବିଜେପି ତୃଣମୂଳସ୍ତରରେ ଜନସାଧାରଣଙ୍କ ନିକଟବର୍ତ୍ତୀ ହୋଇପାରିଥିବା ଚର୍ଚ୍ଚା ହେଉଛି।