ଖରସ୍ରୋତା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ସଚେତନତା କାର୍ଯ୍ୟକ୍ରମ
ବିଂଝାରପୁର, ୨୬/୦୮ (ପ୍ରଦୀପ କୁମାର ମଲ୍ଲିକ) : ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା, ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତାକୁ ଗୁରୁତ୍ୱ ଦେଇ ‘ଶକ୍ତିଶ୍ରୀ’ ସଶକ୍ତିକରଣ ସଂସ୍ଥା ପକ୍ଷରୁ ମଙ୍ଗଳବାର ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମହାବିଦ୍ୟାଳୟସ୍ତରରେ ଛାତ୍ରୀ ତଥା ମହିଳାମାନଙ୍କୁ ମାନସିକ ଓ ଶାରୀରିକ ଭାବେ ସଶକ୍ତ କରିବା ସହ ଆତ୍ମସୁରକ୍ଷାର ବିଭିନ୍ନ କଳାକୌଶଳ ସମ୍ପର୍କରେ ତାଲିମ ଓ ସଚେତନତା ପ୍ରଦାନ ଲକ୍ଷ୍ୟରେ ଏହି ପ୍ରୟାସ ଜାରି ରହିଛି। ଏହି କ୍ରମରେ ଖରସ୍ରୋତା ମହାବିଦ୍ୟାଳୟରେ ମଧ୍ୟ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଚାଲୁ ରହିଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ କୁମାର ଦାସ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମର ସଂଯୋଜିକା ମମତାମୟୀ ସାମଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ମୁଖ୍ୟଅତିଥି ଭାବେ ଯାଜପୁର ଏସ୍ଡିପିଓ ତଥା ଉପମଣ୍ଡଳ ପୁଲିସ ଅଧିକାରୀ ପ୍ରଶାନ୍ତ କୁମାର ମାଝି ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ ମାର୍ଗ, ଆଇନଶୃଙ୍ଖଳା ରକ୍ଷା ଏବଂ ପୁଲିସ ବିଭାଗର ବିଭିନ୍ନ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରିଥିଲେ। ସେ ଛାତ୍ରୀମାନଙ୍କୁ ଯେକୌଣସି ପରିସ୍ଥିତିରେ ଭୟଭୀତ ନହୋଇ ନିର୍ଭୀକ ଭାବେ ନିଜ ଅଧିକାର ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଂଝାରପୁର ଥାନା ପୁଲିସ ଇନ୍ସପେକ୍ଟର ଇନ୍ଚାର୍ଜ ପାର୍ବତୀ ମଲ୍ଲିକ ଯୋଗଦେଇ ମହିଳା ଓ ଛାତ୍ରୀମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବିପଦ ସମୟରେ ସଚେତନତା, ସାହସ ଓ ଆତ୍ମବିଶ୍ୱାସର ସହିତ ପରିସ୍ଥିତିର ମୁକାବିଲା କରିବାକୁ ସେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ସ୍ତୋତ୍ର ପାଠ କରିଥିବାବେଳେ, ‘ଶକ୍ତିଶ୍ରୀ’ର ଅନ୍ୟତମ ସଦସ୍ୟ ଅଧ୍ୟାପକ କୈଳାସ ଚନ୍ଦ୍ର ମିଶ୍ର ସଭାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏକଶହରୁ ଊର୍ଦ୍ଧ୍ୱ ଛାତ୍ରୀ ଯୋଗଦେଇ ସଚେତନତାମୂଳକ ଆଲୋଚନାରୁ ଉପକୃତ ହୋଇଥିଲେ। ଶେଷରେ ‘ଶକ୍ତିଶ୍ରୀ’ର ସଦସ୍ୟା ଡ. ଗାୟତ୍ରୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମସୁରକ୍ଷା, ଆଇନଗତ ସଚେତନତା ଓ ନିର୍ଭୀକତାର ଭାବନା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ସାରମର୍ମ ଥିଲା |