ପଞ୍ଚାୟତ ରେଷ୍ଟହାଉସ୍ ପାଲଟିଛି ଗୋଶାଳା! ସରକାରୀ ଘରେ ବନ୍ଧା ହେଉଛନ୍ତି ଗାଈ-ବଳଦ
ଝରିଗାଁ, ୨୧/୦୮ (ନକୁଲ ଭତରା) : ଗ୍ରାମାଞ୍ଚଳକୁ ଆସୁଥିବା ପରିଦର୍ଶକ ଓ ସାଧାରଣ ଲୋକଙ୍କ ବିଶ୍ରାମ ପାଇଁ ଲକ୍ଷାଧିକ ଟଙ୍କାର ସରକାରୀ ଅନୁଦାନରେ ନିର୍ମିତ ରେଷ୍ଟହାଉସ୍ ଏବେ ଅବହେଳାର ଶିକାର। ଲୋକଙ୍କ ବ୍ୟବହାର ପାଇଁ ନିର୍ମିତ ଏହି ସରକାରୀ ଗୃହ ଏବେ ଗୋଶାଳାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଉମରକୋଟ-ଡାବୁଗାଁ ମୁଖ୍ୟ ରାସ୍ତା କଡ଼ରେ ବକଡ଼ାବେଡ଼ା ପଞ୍ଚାୟତ ସମ୍ମୁଖରେ ଥିବା ଏହି ବିଶ୍ରାମାଗାରର ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତକୁ ବିଭିନ୍ନ ସରକାରୀ କାର୍ଯ୍ୟ ଓ ଚାଉଳ ନେବା ପାଇଁ ଆସୁଥିବା ମାଝିଆ, ତୁରୁଞ୍ଜି ଓ ମାଣ୍ଡିଆଗୁଡ଼ା ଗ୍ରାମର ଲୋକେ ବିଶେଷକରି ଗ୍ରୀଷ୍ମ ଦିନରେ ଏଠାରେ ବିଶ୍ରାମ ନେଉଥିଲେ। କିନ୍ତୁ ପ୍ରଶାସନିକ ତଦାରଖ ଅଭାବରୁ କେତେକ ବ୍ୟକ୍ତି ଏହି ସରକାରୀ ଗୃହକୁ ନିଜ ଗୋରୁ ଓ ବଳଦ ବାନ୍ଧିବା ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଫଳରେ ରେଷ୍ଟହାଉସ୍ର ଭିତର ଓ ବାରଣ୍ଡାରେ ଗୋବର, ଅଳିଆ ଆବର୍ଜନା ଜମି ରହିଥିବା ସହ ପ୍ରବଳ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏପରିକି ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ସାଧାରଣ ଲୋକେ ଏଠାରେ କିଛି ସମୟ ଠିଆ ହେବାକୁ ମଧ୍ୟ ଅସୁବିଧା ଅନୁଭବ କରୁଥିବା କହିଛନ୍ତି। ସରକାରୀ ଅର୍ଥରେ ନିର୍ମିତ ଏକ ସାର୍ବଜନୀନ ସମ୍ପତ୍ତିର ଏଭଳି ଅବ୍ୟବହାରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏହି ଘଟଣାର ତୁରନ୍ତ ତଦନ୍ତ କରି ସରକାରୀ ଗୃହକୁ ଅବୈଧ ଭାବେ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ରେଷ୍ଟହାଉସ୍କୁ ସଫାସୁତୁରା କରି ପୁଣିଥରେ ସାଧାରଣ ଲୋକଙ୍କ ବ୍ୟବହାରଯୋଗ୍ୟ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି