Hot Posts

6/recent/ticker-posts

ସ୍ୱାୟତ୍ତ ଶାସନ ଦିବସରେ ସୋନପୁରରେ ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ



ସୁବର୍ଣ୍ଣପୁର, ୩୧/୦୮ ( ଜଗଦିଶ ମେହେର ) : ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଟାଉନ ହଲରେ ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣ ହୋଇଛି ଏବଂ ସୋନପୁର ପୌରପରିଷଦ ଦ୍ୱାରା ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମାନ୍ୟବର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ। କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ ମାନ୍ୟବର ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଡ. ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ସୋନପୁର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଉଷାରାଣୀ ଦାଶ। ଏହି ଅବସରରେ ନୂଆ ଟାଉନ ହଲ ଠାରେ ୩୦ ମିଟର ସୁଉଚ୍ଚର ସ୍ତମ୍ଭ ରେ ୧୨×୧୮ର ଜାତୀୟ ପତାକାର ଉଦଘାଟନ ଓ ଉତ୍ତୋଳନ କରିଛନ୍ତି। ଏହାଛଡ଼ା ସହରର ପଟାଭାଡ଼ି ଛକରୁ କୁନ୍ଦରୁ କୁଶଳ ଛକ ଯିବା ରାସ୍ତାରେ ଦାଣ୍ଡିଯାତ୍ରାର ପ୍ରତିମୂର୍ତ୍ତି ଉଦଘାଟନ କରିଛନ୍ତି ମନ୍ତ୍ରୀ। ମାନନୀୟ ମନ୍ତ୍ରୀ ଶ୍ରୀ ଗଣ୍ଡ ଅଭିଭାଷଣ ଦେଇ କହିଥିଲେ ଯେ, ଭାରତର ଦ୍ୱିତୀୟ ବାରଣାସୀ ସୋନପୁର ସହରକୁ ଆସି ସେ ନିଜକୁ ବହୁତ ଗୌରବାନ୍ୱିତ ମନେ କରୁଛନ୍ତି। ମାନନୀୟ ମନ୍ତ୍ରୀ କହିଥିଲେ ଯେ, ସେ ମଧ୍ୟ ଦିନେ କାଉନସିଲର ଥିଲେ। ସମସ୍ତେ ନିଜ ନିଜ ସ୍ତରରେ କାମ କରିବା ଆରମ୍ଭ କଲେ ସହର ନିର୍ମଳ ରହିବ। ପ୍ରଧାନମନ୍ତ୍ରୀ ନିଜେ ଝାଡ଼ୁ ଧରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ। ତେଣୁ ନିଜ ଅଞ୍ଚଳକୁ ନିର୍ମଳ ରଖିବାର ଦାୟିତ୍ୱ ସମସ୍ତଙ୍କର ଅଛି ବୋଲି ସେ କହିଥିଲେ। ସୋନପୁର ପୌରପରିଷଦର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସୁବର୍ଣ୍ଣପୁର ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଥିବା ଅବଦାନ ପାଇଁ କୃତଜ୍ଞତା ଜଣାଇ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସୋନପୁର ପୌରପରିଷଦର ଲୋଗୋ ମଧ୍ୟ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଉନ୍ମୋଚନ କରିଛନ୍ତି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ୧୫ ଜଣ କାଉନସିଲର, ୩୦ ଜଣ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ ଓ ସମାଜ ସଂସ୍କାରକମାନଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ୭୫ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏଥିସହ ସୋନପୁର ପୌରପରିଷଦ କାର୍ଯାଳୟରେ OSWAN ହଲର ଉଦଘାଟନ କରାଯାଇଛି ।