ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଓ ସଡ଼କ ସୁରକ୍ଷା ସଚେତନତା ଉପରେ ଗୁରୁତ୍ୱ
ସୁବର୍ଣ୍ଣପୁର, ୩୧/୦୮ ( ଜଗଦିଶ ମେହେର ) : ଆଜି ସନ୍ଧ୍ୟା ୫ଟାରେ ଜିଲ୍ଲାପାଳ କାର୍ଯ୍ୟାଳୟର ମିନି କନଫରେନ୍ସ ହଲରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଛି। ଏହି ବୈଠକରେ ଜିଲ୍ଲାରେ ଆସନ୍ତା ସେପ୍ଟେମ୍ବର ୨୦୨୬ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯିବ ଏବଂ ସମସ୍ତଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଯିବ। ଏହି ସଚେତନତା କାର୍ଯ୍ୟକ୍ରମ ସମସ୍ତ ବ୍ଲାକ୍ ସ୍ପଟ୍ଗୁଡ଼ିକରେ ଆୟୋଜନ କରାଯିବ ଏବଂ ନୂତନ ଉପାୟରେ ସଚେତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ଶିକ୍ଷା ବିଭାଗକୁ ବିଦ୍ୟାଳୟ ଅଞ୍ଚଳ ସୁରକ୍ଷା ପାଇଁ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ଜୁଲାଇ ମାସରେ ୪ଟି ଦୁର୍ଘଟଣା ଘଟିଛି ଏବଂ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ମାସରେ ଉଲୁଣ୍ଡାର ମାଟୁପାଲି ପେଟ୍ରୋଲ ପମ୍ପରେ, ବିନିକାର ଜାମଛାପାଲି କଲଭର୍ଟରେ ଏବଂ ଡୁଙ୍ଗୁରିପାଲିର ଶୁଖା ରାସ୍ତା, ଡୁଙ୍ଗୁରିପାଲିର ଇଚ୍ଛାପୁର ରାସ୍ତାର ପାଣି ଟାଙ୍କି ପାଖରେ ଦୁର୍ଘଟଣା ଘଟିଛି। ସେହିପରି ଜୁଲାଇ ମାସରେ ୭୪୩ଟି ଚାଲାଣ କରାଯାଇଛି ଏବଂ ତନ୍ମଧ୍ୟରୁ ୬୨୪ଟି ଚାଲାଣର ପଇସା ସଂଗ୍ରହ ବାକି ରହିଛି। ଗତ ମାସରେ ୫ ଲକ୍ଷ ୯୬ ହଜାର ୭ ଶହ ୮୫ ଟଙ୍କା ଚାଲାଣ ମାଧ୍ୟମରେ ସଂଗ୍ରହ କରାଯାଇଛି। ଜିଲ୍ଲାରେ ହେଲମେଟ୍ ନ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍ ଚଳାଇବା, ସିଟ୍ ବେଲ୍ଟ ନ ପିନ୍ଧିବା, ମାଲ ପରିବହନ ଯାନରେ ଲୋକମାନଙ୍କୁ ନେବା, ମଦ୍ୟପାନ କରି ଗାଡ଼ି ଚଳାଇବା ଆଦି ପାଇଁ ୪୧୨ଟି ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇଛି।