ନାଗ ପଞ୍ଚମୀରେ ଘୁଚାଗୁଡ଼ାରେ ଭକ୍ତିମୟ ପରିବେଶ, ଉଦନ୍ତୀ ନଦୀରୁ ଜଳ ଆଣି ଶିବଙ୍କୁ ଅର୍ପଣ
ଘୁଚାଗୁଡ଼ା, ୧୮/୦୮ ( ପରମେଶ୍ୱର ମେହେର ) : ପବିତ୍ର ନାଗ ପଞ୍ଚମୀ ଅବସରରେ ଘୁଚାଗୁଡ଼ା ରେଙ୍ଗଟାପଡ଼ା, କଇଁଟପଦର ଓ କେନ୍ଦୁମୁଣ୍ଡା ମଧ୍ୟସ୍ଥିତ ଶିବମନ୍ଦିର ପରିସରରେ ଭକ୍ତି ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ ସୃଷ୍ଟି ହୋଇଥିଲା। ନାଗ ପଞ୍ଚମୀ ଅବସରରେ କଳାହାଣ୍ଡି ଜିଲା ଦଶପୁର ଗ୍ରାମର ଚମ୍ପେଶ୍ୱର ନାଗ ବୋଲ୍ବମ୍ ପାର୍ଟି ପକ୍ଷରୁ ଏକ ନାଗଯାତ୍ରା ଆୟୋଜିତ ହୋଇଥିଲା। ଉଦନ୍ତୀ ନଦୀର ଶଗଡ଼ିଆ ଘାଟରୁ ଭକ୍ତମାନେ ପବିତ୍ର ଜଳ ଧରି ପ୍ରାୟ ୨ କିଲୋମିଟର ଦୂରତା ନାଗଯାତ୍ରା କରି ଶିବମନ୍ଦିରରେ ପହଞ୍ଚିଥିଲେ। ପରେ ଶିବଲିଙ୍ଗରେ ପବିତ୍ର ଜଳ ଢାଳି ଭକ୍ତିପୂର୍ଣ୍ଣ ଭାବେ ପୂଜାର୍ଚ୍ଚନା କରିଥିଲେ। ନାଗ ପଞ୍ଚମୀର ଧାର୍ମିକ ପରମ୍ପରା ଓ ଶୈବ ଭକ୍ତିର ଏହି ସମାଗମ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। ଏହି ଅବସରରେ ଘୁଚାଗୁଡ଼ା ତ୍ରିନାଥ ମନ୍ଦିର ସେବାୟତ ଶ୍ରୀ ବାଲକୃଷ୍ଣ ନାଏକଙ୍କ ସମେତ ମନବୋଧ ମାଝୀ, ଭମରବର ପ୍ରଧାନ, ପାରେଶ୍ୱର ସା, ପବିତ୍ର ନାଏକ, ଭାସ୍କର ବୈଠାରୁ, ଦେବରାଜ ପ୍ରଧାନ, ମନୋଜ ନାଏକ, ରଘୁନାଥ ସା, ସଞ୍ଜୟ ମାଝୀ, ଡୋଳାମଣି ନାଗ, କେବଳ ନାଗ, କର୍ଣ୍ଣ ନାଗ ଓ ଘାସି ନାଗଙ୍କ ସମେତ ଘୁଚାଗୁଡ଼ା, ରେଙ୍ଗଟାପଡ଼ା, କଇଁଟପଦର ଓ କେନ୍ଦୁମୁଣ୍ଡା ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଧାଡ଼ିବାନ୍ଧି ପୂଜାର୍ଚ୍ଚନା କରିବା ସହ ଭଗବାନ ଶିବଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ହଳଦୀମୁଣ୍ଡାର ରାଧାକୃଷ୍ଣ ଭୋଜନ ମଣ୍ଡଳୀ ପକ୍ଷରୁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା। ପୂଜାର୍ଚ୍ଚନା ସମାପ୍ତ ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ହୋଇଥିଲା।ମନ୍ଦିର ପୂଜକ ଶଙ୍କରଲାଲ ନାଏକ ଓ ପଙ୍କଜ ଦାସ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ନାଗ ପଞ୍ଚମୀ ଅବସରରେ ଶିବମନ୍ଦିର ପରିସରରେ ଦିନତମାମ ଭକ୍ତିମୟ ପରିବେଶ ଲାଗି ରହିଥିଲା।