Hot Posts

6/recent/ticker-posts

ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ କଳାହାଣ୍ଡି ବିଜେପି ପକ୍ଷରୁ ବିଶାଳ କଳସ ଶୋଭାଯାତ୍ରା ଓ ମଣ୍ଡଳସ୍ତରୀୟ କଳସ ବିତରଣ

ଭବାନୀପାଟଣା, ୧୮/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ସମତା, ସାମାଜିକ ସମରସତା, ଭାଇଚାରା ଓ ମାନବିକତାର ମହାନ ବାର୍ତ୍ତା ପ୍ରଚାର କରିଥିବା ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀକୁ ଅବିସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଏକ ଭବ୍ୟ କଳସ ଶୋଭାଯାତ୍ରା ଓ ସମସ୍ତ ମଣ୍ଡଳକୁ ପବିତ୍ର କଳସ ବିତରଣ କାର୍ଯ୍ୟକ୍ରମ ଭବାନୀପାଟଣାରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗାଙ୍କ ତତ୍ତ୍ୱାବଧାନରେ ପୁରୁଣାପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରଠାରୁ ଏହି ଭବ୍ୟ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନ ହଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶୋଭାଯାତ୍ରାରେ ସନ୍ଥ ରବୀଦାସ ମହାରାଜଙ୍କ ପବିତ୍ର ବାଣୀ ଓ ଆଦର୍ଶର ଜୟଗାନ ସହିତ ଭକ୍ତି ଓ ସମରସତାର ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ଟାଉନ ହଲ୍ ପରିସରରେ ଆୟୋଜିତ ସଭାରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବାଇଧର ମଲ୍ଲିକ ଯୋଗଦେଇ ସନ୍ଥ ଶିରୋମଣି ଶ୍ରୀ ରବୀଦାସ ମହାରାଜଙ୍କ ମହାନ ଜୀବନ, ସମାଜ ପ୍ରତି ତାଙ୍କର ଅବଦାନ ଏବଂ ସମତା ଓ ସାମାଜିକ ସମରସତାର ବିଚାରଧାରା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସନ୍ଥ ରବୀଦାସଙ୍କ ବାଣୀ କେବଳ ଏକ ନିର୍ଦ୍ଦିଷ୍ଟ ସମାଜ ପାଇଁ ନୁହେଁ; ଏହା ସମଗ୍ର ମାନବ ସମାଜ ପାଇଁ ଏକ ମହାନ ଜୀବନଦର୍ଶନ। ଜାତି, ବର୍ଣ୍ଣ ଓ ଭେଦଭାବର ଊର୍ଦ୍ଧ୍ୱରେ ଉଠି ପ୍ରେମ, ସମାନତା ଓ ଭାଇଚାରାରେ ଏକ ସୁନ୍ଦର ସମାଜ ଗଠନ କରିବା ହିଁ ତାଙ୍କର ମହାନ ସନ୍ଦେଶ ଥିଲା। ଏହି ସଭାରେ ରାଜ୍ୟ ଉପସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ନମିତା ରାଣୀ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହିମାଂଶୁ ପଣ୍ଡା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବିଷ୍ଣୁ ନାଏକ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ମନୀନଜର ଆର୍ଯ୍ୟ, ରାଜ୍ୟ ସମ୍ପାଦକ ଶ୍ରୀ ହରିହର ମହାନଦ, ଶ୍ରୀ ଅର୍ପ୍ରେସ ସ୍ୱାଇଁ, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ କାଞ୍ଚନ ବାଗ, ପୂର୍ବତନ ବିଧାୟକ ଶ୍ରୀ ଅନାମ ନାଏକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ସନ୍ଥ ରବୀଦାସ ମହାରାଜଙ୍କ ମହାନ ବିଚାରଧାରା ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳର ସଭାପତି ଓ ପ୍ରଭାରୀ, ଜିଲ୍ଲା ପଦାଧିକାରୀ ଏବଂ ସମସ୍ତ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ ନେତୃତ୍ୱ ଉପସ୍ଥିତ ରହିଥିଲେ। ପରେ ସନ୍ଥ ରବୀଦାସ ମହାରାଜଙ୍କ ଜନ୍ମଭୂମିରୁ ଆସିଥିବା ପବିତ୍ର କଳସଗୁଡ଼ିକୁ ଜିଲ୍ଲାର ବିଭିନ୍ନ ମଣ୍ଡଳକୁ ଶ୍ରଦ୍ଧା ଓ ଭକ୍ତିର ସହିତ ବିତରଣ କରାଯାଇଥିଲା। ଏହି ପବିତ୍ର କଳସକୁ ସ୍ୱାଗତ କରିବା ପାଇଁ ମାର୍ଗର ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଜନସାଧାରଣ ଶ୍ରଦ୍ଧାର ସହ କଳସକୁ ସ୍ୱାଗତ କରିବା ସହ ସନ୍ଥଙ୍କ ମହାନ ବାଣୀ ଓ ବିଚାରଧାରା ପ୍ରତି ନିଜର ସମ୍ମାନ ପ୍ରକାଶ କରିଥିଲେ। ସନ୍ଥଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କର ମହାନ ବାଣୀ ଓ ମାନବତାବାଦୀ ବିଚାରକୁ ଜନଜନଙ୍କ ନିକଟରେ ପହଞ୍ଚାଇବାର ଏହି ପ୍ରୟାସକୁ ସାଧାରଣ ଜନତା ବ୍ୟାପକ ଭାବେ ପ୍ରଶଂସା କରିଛନ୍ତି। ଏହି ଆୟୋଜନ କେବଳ ଏକ ଉତ୍ସବ ନୁହେଁ, ବରଂ ସମତା, ସମରସତା ଓ ମାନବିକତାର ମହାନ ସନ୍ଦେଶକୁ ଘରେ ଘରେ ପହଞ୍ଚାଇବାର ଏକ ପବିତ୍ର ସଙ୍କଳ୍ପ ବୋଲି ମତ ପ୍ରକାଶ ପାଇଛି।