ପ୍ରତାପୁର କଲୋନୀ ପଡ଼ାରେ ରାସ୍ତା ଅବ୍ୟବସ୍ଥା, ହନ୍ତସନ୍ତ ଲୋକେ
ଜୟପାଟଣା, ୨୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ ରାଜ୍ୟର ରାସ୍ତାଘାଟ ଓ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ଏବେ ବି ଅନେକ ଅଞ୍ଚଳରେ ରାସ୍ତା ଅବ୍ୟବସ୍ଥା ଯୋଗୁଁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। କାଦୁଅ ପଚପଚ ରାସ୍ତାରେ ଯାତାୟାତ କରିବା ଲୋକଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଛି। ଏଭଳି ଏକ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରତାପୁର କଲୋନୀ ପଡ଼ାରେ ଦେଖିବାକୁ ମିଳିଛି। ଜୟପାଟଣା ସହରଠାରୁ ମାତ୍ର ପ୍ରାୟ ଦୁଇ କିଲୋମିଟର ଦୂରରେ ରହିଛି ଏହି ପଡ଼ା। ସହର ଭିତରେ ପିଚୁ ଓ କଂକ୍ରିଟ୍ ରାସ୍ତା ଥିବାବେଳେ ଏହି ପଡ଼ାବାସୀ ଏବେ ବି ମାଟି ଓ କାଦୁଅ ରାସ୍ତା ଉପରେ ନିର୍ଭରଶୀଳ। ବର୍ଷା ହେଲେ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ୁଛି। କାଦୁଅ ପଚପଚ ରାସ୍ତାରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ପଡ଼ାବାସୀଙ୍କ ଅଭିଯୋଗ ଅନୁସାରେ, ରାସ୍ତା ସମସ୍ୟା ନେଇ ସରପଞ୍ଚ ଓ ପ୍ରଶାସନକୁ ବାରମ୍ବାର ଜଣାଇବା ସହ ଜୟପାଟଣା ବିଡିଓଙ୍କ ନିକଟରେ ଅନେକ ଦରଖାସ୍ତ ମଧ୍ୟ ଦିଆଯାଇଛି। ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ସେମାନେ କହିଛନ୍ତି। ରାସ୍ତା ଅବ୍ୟବସ୍ଥାର ସବୁଠାରୁ ବଡ଼ ପ୍ରଭାବ ପଡ଼ୁଛି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଉପରେ। ପଡ଼ାର କୌଣସି ଗର୍ଭବତୀ ମହିଳା କିମ୍ବା ରୋଗୀଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସ ଡାକିଲେ ରାସ୍ତା ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଆସିବାକୁ ଅସମର୍ଥତା ପ୍ରକାଶ କରୁଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ଫଳରେ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେବାକୁ ପଡ଼ୁଥିବା ସେମାନେ କହିଛନ୍ତି। କେବଳ ସ୍ୱାସ୍ଥ୍ୟସେବା ନୁହେଁ, ରାସ୍ତା ଅବସ୍ଥା ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ୟ ଜୟପାଟଣାକୁ ପାଠ ପଢ଼ିବା ପାଇଁ ଯିବାଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ରାସ୍ତା ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ପଡ଼ାବାସୀ ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି।