କଳାହାଣ୍ଡି, ୨୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ନର୍ଲା ରାଜନୀତିରେ ପୁଣି ଦେଖାଦେଇଛି ନୂଆ ମୋଡ଼। ୨୦୨୪ ନର୍ଲା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ହାଇକୋର୍ଟରେ ଚାଲିଥିବା ନିର୍ବାଚନ ମାମଲା ପ୍ରତ୍ୟାହାର ପରେ ଏବେ ଏହି ମାମଲାକୁ ପୁଣି ଖୋଲିବା ପାଇଁ ଆବେଦନ ହୋଇଛି। ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନରେ ୩୦ ମାର୍ଚ୍ଚ ୨୦୨୬ରେ ନିର୍ବାଚନ ପିଟିସନ୍ ପ୍ରତ୍ୟାହାର ସମ୍ପର୍କରେ ଦିଆଯାଇଥିବା ଆଦେଶକୁ ରିକଲ୍ କରିବା ସହ ମୂଳ ନିର୍ବାଚନ ମାମଲାକୁ ପୁଣି ଚାଲୁ କରିବାକୁ ପ୍ରାର୍ଥନା କରାଯାଇଛି। ଏହି ଆବେଦନ ଇଲେକ୍ସନ୍ ପିଟିସନ୍ ନମ୍ବର ୦୩/୨୦୨୪ରୁ ଉତ୍ପନ୍ନ ବୋଲି ଦସ୍ତାବିଜରେ ଉଲ୍ଲେଖ ରହିଛି। ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମନୋରମା ମହାନ୍ତି ୬୭ ହଜାର ୫୩୨ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ୬୨ ହଜାର ୩୨୭ ଭୋଟ ପାଇ ଦ୍ୱିତୀୟ ଏବଂ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ ୪୭ ହଜାର ୪୭୦ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ବିଜୟୀ ପ୍ରାର୍ଥୀ ଓ ଦ୍ୱିତୀୟ ସ୍ଥାନର ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ଥିଲା ୫ ହଜାର ୨୦୫ ଭୋଟ। ଏହି ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ମୂଳ ନିର୍ବାଚନ ପିଟିସନ୍ ଦାଖଲ ହୋଇଥିଲା। ଦସ୍ତାବିଜ ଅନୁସାରେ, ପିଟିସନରଙ୍କ ପକ୍ଷର ପ୍ରମାଣ ଶେଷ ହେବା ପରେ ମାମଲା ପ୍ରତିବାଦୀଙ୍କ ପକ୍ଷର ପ୍ରମାଣ ପାଇଁ ରହିଥିଲା। ଏହି ସମୟରେ ୩୦ ମାର୍ଚ୍ଚ ୨୦୨୬ରେ ମାମଲା ପ୍ରତ୍ୟାହାର ପାଇଁ ଆବେଦନ କରାଯାଇଥିଲା। ଆବେଦନକାରୀଙ୍କ ଦାବି ଅନୁସାରେ, କଂଗ୍ରେସର ଏକ ସମୀକ୍ଷା ବୈଠକରେ ଦଳୀୟ ହାଇକମାଣ୍ଡ ନିର୍ବାଚନ ମାମଲାକୁ ଆଗକୁ ନନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଦଳୀୟ ଶୃଙ୍ଖଳାକୁ ସମ୍ମାନ ଦେଇ ମାମଲା ପ୍ରତ୍ୟାହାର କରାଯାଇଥିବା ଆବେଦନରେ ଉଲ୍ଲେଖ ରହିଛି। ତେବେ ଏବେ ଆବେଦନକାରୀ ମାମଲା ପ୍ରତ୍ୟାହାର ପ୍ରକ୍ରିୟାର ଆଇନଗତ ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜନପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୧୦୯, ୧୧୦ ଓ ୧୧୧କୁ ଆଧାର କରି ଆବେଦନ ଦାଖଲ ହୋଇଥିବା ଦସ୍ତାବିଜରୁ ଜଣାପଡ଼ିଛି। ଆବେଦନକାରୀଙ୍କ ଦାବି ହେଉଛି, ନିର୍ବାଚନ ପିଟିସନ୍ ପ୍ରତ୍ୟାହାର ପରେ ଆଇନ ଅନୁସାରେ ଆବଶ୍ୟକ ଗେଜେଟ୍ ପ୍ରକାଶନ ସହ ଅନ୍ୟାନ୍ୟ ପ୍ରକ୍ରିୟା ପାଳନ କରାଯିବା ଆବଶ୍ୟକ। କିନ୍ତୁ ଆବଶ୍ୟକ ଗେଜେଟ୍ ପ୍ରକାଶନ ହୋଇନଥିବା ଦାବି କରାଯାଇଛି। ଏହା ସହ ପ୍ରତିବାଦୀଙ୍କ ନାମାଙ୍କନ ସହ ଦାଖଲ ହୋଇଥିବା ଫର୍ମ-୨୬ ଶପଥପତ୍ରରେ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ ତଥ୍ୟ ଦେବା କିମ୍ବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇବା ନେଇ ମଧ୍ୟ ଆବେଦନରେ ଅଭିଯୋଗ ଉଠାଯାଇଛି। ଆବେଦନକାରୀଙ୍କ ଦାବି ଅନୁସାରେ, ଏହି ପ୍ରସଙ୍ଗରେ ମୌଖିକ ଓ ଦସ୍ତାବିଜୀ ପ୍ରମାଣ ପୂର୍ବରୁ ଉପସ୍ଥାପିତ ହୋଇସାରିଛି। ତେଣୁ ମାମଲାକୁ ପୁଣି ଖୋଲି ଅଭିଯୋଗଗୁଡ଼ିକର ଆଇନଗତ ପରୀକ୍ଷା କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ତେବେ ଏଠାରେ ସ୍ପଷ୍ଟ କରିଦେବା ଆବଶ୍ୟକ ଯେ, ଉପରୋକ୍ତ ଅଭିଯୋଗ ଓ ଦାବିଗୁଡ଼ିକ ଆବେଦନକାରୀଙ୍କ ପକ୍ଷରୁ ଉଠାଯାଇଛି। ଏହାର ସତ୍ୟତା ଉପରେ ହାଇକୋର୍ଟଙ୍କ ଅନ୍ତିମ ନିଷ୍ପତ୍ତି ଆସିନାହିଁ। ଏବେ ନଜର ରହିଛି ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଉପରେ। ୩୦ ମାର୍ଚ୍ଚ ୨୦୨୬ର ଆଦେଶ ରିକଲ୍ ହେବ କି? ମୂଳ ନିର୍ବାଚନ ପିଟିସନ୍ ପୁଣି ଚାଲିବ କି? ଏବଂ ମାମଲାରେ ନୂଆ ପିଟିସନରଙ୍କ ପ୍ରବେଶ ପାଇଁ ଆଇନଗତ ସୁଯୋଗ ସୃଷ୍ଟି ହେବ କି? ଏହି ସବୁ ପ୍ରଶ୍ନର ଉତ୍ତର ଏବେ ହାଇକୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ନର୍ଲା ନିର୍ବାଚନକୁ ନେଇ ଶେଷ ହୋଇଥିବା ରାଜନୈତିକ ଅଧ୍ୟାୟ ପୁଣି ଆଇନର ମଞ୍ଚରେ ଖୋଲିବ କି? ଏବେ ନର୍ଲା ରାଜନୀତିରେ ଏହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
