ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶ ମାନଙ୍କ ଦୀକ୍ଷାନ୍ତି ସମାରୋହ।
କଟକ, ୦୨/୦୮ ( କାହୁଁ ଚରଣ ବାରିକ ) : ଆଦ୍ୟ ତା ୦୨.୦୮.୨୦୨୬ ରିଖ ରବିବାର ପୂର୍ବାହ୍ନ ଘ. ୧୦.୩୦ ମି ସମୟରେ କଟକ ଚହଟା ସ୍ଥିତ ପ୍ରମୋଦ କନଭେନସନ ଏବଂ କ୍ଳବ ରିସୋର୍ଟ ସମିଳନୀ କକ୍ଷରେ ୨୦୨୩ ବ୍ୟାଚର ନବନିଯୁକ୍ତି ୩୩ ଜଣ ଦେୱାନୀ ନ୍ୟାୟାଧୀଶଙ୍କ ଦୀକ୍ଷାନୁ ସମାରୋହ ଅନୁଷ୍ଠିତ ହୋଇଅଛି।ଏହି ଉତ୍ସବ ରେ ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ତଥା ଓଡିଶା ନ୍ୟାୟିକ ଏକାଡେମୀ ର ମୁଖ୍ୟ ପୃଷ୍ଠପୋଷକ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ହରିଶ ଟଣ୍ଡନ ମହୋଦୟ ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିବା ସହିତ, ଏକ ବର୍ଷ ର ପ୍ରଶିକ୍ଷଣ ସମାପ୍ତ କରିଥିବା ୩୩ ଜଣ ଦେୱାନୀ ନ୍ୟାୟାଧୀଶ ମାନଙ୍କୁ ଦୀକ୍ଷାନୁ ଶପଥ ପାଠ କରାଇଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟ ବିଚାରପତି, ଓଡିଶା ନ୍ୟାୟିକ ଏକାଡେମୀ ସମିତିର ମାନ୍ୟବର ଅଧ୍ଯକ୍ଷ ଓ ମାନ୍ୟବର ସଦସ୍ୟ ବୃନ୍ଦ ତଥା ଓଡିଶା ଉଚ୍ଚ ନ୍ୟାୟାଳୟ “ବାର୍ଷିକ ସୂଚନା ପୁସ୍ତକ" ସମିତିର ଅଧ୍ୟକ୍ଷ ଏବଂ ମାନ୍ୟବର ସଦସ୍ୟ ମାନଙ୍କ ଦ୍ବାରା ଓଡିଶା ଉଚ୍ଚ ନ୍ୟାୟାଳୟ ର ୨୦୨୫ ମସିହା ବାର୍ଷିକ ସୂଚନା ପୁସ୍ତକ ଏବଂ ୨୦୨୬ ମସିହା ର ଓଡିଶା ନ୍ୟାୟିକ ଏକାଡେମୀ ର ପତ୍ରିକା “ବିଦ୍ୟା- ୨୦୨୬" ଉନ୍ମୋଚନ କରାଯାଇଥିଲା। ଏହି ଉତ୍ସବରେ ଓଡିଶା ଉଚ୍ଚ ନ୍ୟାୟାଳୟ ର ବିଚାରପତି ତଥା ବାର୍ଷିକ ସୂଚନା ପୁସ୍ତକ ସମିତିର ସଦସ୍ୟ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ଶଶିକାନ୍ତ ମିଶ୍ର ମହୋଦୟ ସ୍ବାଗତ ସମ୍ଭାଷଣ ପାଠ କରିବା ସହିତ ବାର୍ଷିକ ସୂଚନା ପୁସ୍ତକ ବାବଦରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।ଓଡିଶା ଉଚ୍ଚ ନ୍ୟାୟାଳୟ ର ବିଚାରପତି, ଓଡିଶା ନ୍ୟାୟିକ ଏକାଡେମୀ ସମିତିର ଅଧ୍ୟକ୍ଷ, ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ବାର୍ଷିକ ସୂଚନା ପୁସ୍ତକ ସମିତିର ଅଧ୍ୟକ୍ଷ, ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ କୃଷ୍ଣରାମ ମହାପାତ୍ର ମହୋଦୟ ଉପସ୍ଥିତ ସଜ୍ଜନ ମଣ୍ଡଳୀଙ୍କ ଉଦ୍ଧେଶ୍ୟରେ ନିଜର ବକ୍ତବ୍ୟ ରଖୁବା ସହିତ ଦେୱାନୀ ନ୍ୟାୟାଧୀଶ ମାନଙ୍କୁ ଶୁଭକାମନା ଜଣାଇଥିଲେ । ଉପରୋକ୍ତ ସମାବେଶ ରେ ମାନ୍ୟବର ମୁଖ୍ୟ ବିଚାରପତି ମହୋଦୟ, ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶ ମାନଙ୍କୁ ଜଣେ ବିଚାରପତିଙ୍କ ଠାରୁ ଆଶା କରାଯାଉଥିବା ଆଚରଣ, ଉଚ୍ଚାରଣ, ଅନୁଶାସନ, ବିଚାରାଳୟର ସୁପରିଚାଳନା, ସାଧୁତା ଏବଂ ନିରପେକ୍ଷ ନ୍ୟାୟ ପ୍ରଦାନ ଉପରେ ଆଲୋକପାତ କରିବା ସହିତ, ସେମାନଙ୍କର ଉତ୍ତୋରତର ଉନ୍ନତି ପାଇଁ କାମନା କରିଥିଲେ I ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଓଡିଶା ନ୍ୟାୟିକ ଏକାଡେମୀ ସମିତିର ସଦସ୍ୟ ମାନ୍ୟବର ନ୍ୟାୟମୂର୍ତ୍ତି ସୁଶ୍ରୀ ସାବିତ୍ରୀ ରଥ ମହୋଦୟା ନିଜର ବକ୍ତବ୍ୟ ରଖୁବା ସମେତ ଧନ୍ୟବାଦ ଅର୍ପଣ କରିଥିଲେ ।