Hot Posts

6/recent/ticker-posts

ବିକଶିତ କନ୍ଧମାଳ ଓ ଦାଦନ ମୁକ୍ତ କନ୍ଧମାଳ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ।

ଫୁଲବାଣୀ, ୦୨/୦୮ ( ବାଳକୃଷ୍ଣ କହଁର ) : କାମଧନ୍ଦା ଅଭାବରୁ ଓ ଅଧିକ ରୋଜଗାର ଆଶାରେ ପରିବାର ପ୍ରତିପୋଷଣ ପାଇଁ କନ୍ଧମାଳ ର ବହୁ ଯୁବକଯୁବତୀ ଦାଦନ ଯିବାକୁ ବାଧ୍ୟ ହେଉଥିବା ଦେଖାଯାଉଛି। ପ୍ରତି ସପ୍ତାହରେ ରାଇକିଆ, ଦାରିଙ୍ଗବାଡି ରୁ ନିୟମିତ ବସ କେରଳ ଓ ତାମିଲନାଡୁ ଅଭିମୁଖେ ଶ୍ରମିକଙ୍କୁ ନେଇ ଯାତ୍ରା କରୁଛି। ଅଧିକ ରୋଜଗାର ଆଶାରେ ଯାଉଥିବା ଯୁବକ ଯୁବତୀମାନଙ୍କ ମଧ୍ୟରୁ ପ୍ରତି ମାସରେ ପ୍ରାୟ ଜଣେ ଦୁଇଜଣଙ୍କର ଦେହାନ୍ତ ହେଉଛି। ଶ୍ରମିକ ପଞିକରଣ ଆଇନରେ ପଞିକରଣ ନ ହୋଇ ଥିବାରୁ ସେମାନଙ୍କ ମୃତ ହେହ ଆଣିବା ପରିବାର ପାଇଁ ବ୍ୟୟ ବହୁଳ ହେଉଛି। ତେଣୁ ଏ ଦୁଃଖଦ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜି ଉଦୟଗିରି ସୋସିଆଲ ୱାର୍କରର୍ସ ଆସୋସିଏସନ କନ୍ଧମାଳ (ସ୍ଵାକ) ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଜି ଉଦୟଗିରି ଠାରେ ଏକ ଆଲୋଚନା ଚକ୍ର ଅମନ ନାୟକଙ୍କ ସଭାପତିତ୍ବ ରେ ଆୟୋଜନ କରାଯାଇଥିଲା। ସମ୍ପାଦକ ହୃଷିକେଶ ପ୍ରଧାନ ପ୍ରାରମ୍ଭିକ ବିବରଣୀ ପ୍ରଦାନ କରିଥିଲେ। ଉପଦେଷ୍ଟା ସମୀର ପାଢୀ ଦାଦନ ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ର ବାରଟି ବ୍ଳକର ସାମାଜିକ କାର୍ଯ୍ୟକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ପଞ୍ଚାୟତ ରାଜ ପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଦାଦନ ଯାଇଥିବା ବ୍ୟକ୍ତି ଉପସ୍ଥିତ ରହି ମୂଲ୍ୟବାନ ମତାମତ ଦେଇଥିଲେ। ଦାଦନ ଶ୍ରମିକ କାହିଁକି ଓ ତାର ନିରାକରଣ ସମ୍ପର୍କରେ ଭାରତୀୟ ମଜଦୂର ସଂଘ କନ୍ଧମାଳର ଜିଲ୍ଲା ସଭାପତି ତଥା ସାମାଜିକ କର୍ମୀ ଅଶୋକ ପରିଡାଙ୍କ ସହ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ, ସନ୍ତୋଷ ଦାସ, ଅରୁଣ ଷଡଙ୍ଗୀ, ବୁଦ୍ଧିଜୀବୀ ସିମାଞ୍ଚଳ ବେହେରା, ବିଜେପି ନେତା ସଂଗ୍ରାମୀ ନେତ୍ର ମାନସେଠ, କୈଳାଶ ଚନ୍ଦ୍ର ଦଣ୍ତପାଟ, ନିରଞ୍ଜନ ମିଶ୍ର, ପ୍ରଶାନ୍ତ ପ୍ରଧାନ, ମହିଳା କମିଶନ ପୂର୍ବତନ ସଦସ୍ୟା ଜାଲିନା ପ୍ରିୟଦର୍ଶୀନୀ, ପ୍ରଦୀପ ଦାସ, ସଞୟ ଦିଗାଲ,ଜିଆଉଦ୍ଦୀନ ଅହମଦଙ୍କ ସମେତ ଵହୁବ୍ୟକ୍ତି ବିଭିନ୍ନ ମତାମତ ଦେଇଥିଲେ। କନ୍ଧମାଳରୁ ଦାଦନ ଦୂରୀକରଣ ପାଇଁ  ଆତ୍ମନିର୍ଭରଶୀଳ ହେବା ଭଳି ପ୍ରକଳ୍ପ ଚୟନ ଓ ଯୁବକ ମାନଙ୍କ ମାନସିକତା କୁ ଆକର୍ଷିତ କରିବାଭଳି ମାନସିକତା ସୃଷ୍ଟି କରିବା ଆବଶ୍ୟକ। ଆଞ୍ଚଳିକ ସ୍ତରରେ ଥିବା ସମ୍ବଳ ଓ ଭିତ୍ତିଭୂମି ଚିହ୍ନଟ କରି ଦୀର୍ଘସ୍ଥାୟୀ ଜୀବିକା କଲେ ଦାଦନ ସଂଖ୍ୟା ହ୍ରାସ ହେବ। ପ୍ରତି ବ୍ଳକର ଦାଦନ ସଂଖ୍ୟାର ଡାଟାବେସ କରିବା ଆବଶ୍ୟକ।ଜିଲ୍ଲାର ଭୌଗଳିତ ସ୍ଥିତିକୁ ନେଇ ପ୍ରାଣୀପାଳନ ଓ କୃଷିଭିତ୍ତିକ, ଲଘୁବନଜାତ ଶିଳ୍ପ ,ଉଦ୍ୟାନ, ମସଲାଜାତୀୟ ଶିଳ୍ପ ,ଜଳସେଚନ ଓ ଜଳ ସଂରକ୍ଷଣକୁ ଅଗ୍ରାଧିକାର ଦେବା ଆବଶ୍ୟକ। ଦଳଗତ ସହ ବ୍ୟକ୍ତିଗତ କାର୍ଯ୍ୟକୁ ମଧ୍ୟ ଅଗ୍ରାଧିକାର ଦେଲେ ମୁଦ୍ରା ଓ ଷ୍ଟାଟପରେ ସହାୟତା ମିଳିପାରିବ। ଉଦ୍ୟୋଗ ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ କରିବାକୁ ପ୍ରଶାସନ ର ସହଯୋଗ ଆବଶ୍ୟକ। ସଠିକ ସମୟରେ ଆବଶ୍ୟକ ପରିମାଣର ଅନୁଦାନ, ପୁଞ୍ଜି , ଗୁଣାତ୍ମକ ପ୍ରଶିକ୍ଷଣ ଓ ଉଦ୍ୟୋଗ ଅନୁଯାୟୀ ଆବଶ୍ୟକ ଉପକରଣ, ମଞ୍ଜି , ବିହନ ମିଳିଲେ ସଫଳତା ଅବଶ୍ୟମ୍ଭାବୀ। ଜିଲ୍ଲା ର ରାଜନେତା, ପ୍ରଶାସନ, ଉଦ୍ୟୋଗୀ, ବୁଦ୍ଧିଜୀବୀ ଓ ସାମାଜିକ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ରଖି ନିୟମିତ ପ୍ରକଳ୍ପର ସମୀକ୍ଷା କରିବାକୁ ହେବ। ବିଭାଗୀୟ ଅଧିକାରୀ ମାନେ ନିଷ୍ଠାର ସହ ନିସ୍ଵାର୍ଥପର ଭାବେ ସହଯୋଗ କରିବା ପାଇଁ ଉତ୍ତରଦାୟୀ ହେବା ଆବଶ୍ୟକ । ଦ୍ରବ୍ୟ ପ୍ରକ୍ରିୟା କରଣ, ସଂରକ୍ଷଣ ଓ ଉପଯୁକ୍ତ ଦର ଓ ନିୟମିତ ବଜାର ବ୍ୟବସ୍ଥା ରହିବା ପ୍ରତି ବିଭାଗୀୟ ଆନ୍ତରିକତା ଜରୁରୀ।ଜିଲାସ୍ତର ରେ ତୃତୀୟ, ଚତୁର୍ଥ ଶ୍ରେଣୀ ଓ ଠିକା ଶ୍ରମିକ ନିଯୁକ୍ତି କୁ ଅଗ୍ରାଧିକାର ଦିଆଯିବାକୁ ହେବ। ସିଲେଇ, ବାଉଁଶ, ଖଲି ପ୍ଲାଇଉଡ, ହଳଦୀ, ଅଦା ପ୍ରସେସିଂ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଶିଳ୍ପ ଓ ଆଞ୍ଚଳିକ ସ୍ତରରେ ଉପଲବ୍ଧ କଞ୍ଚାମାଲକୁ ନେଇ କୁଟିର ଶିଳ୍ପ ରାଜ୍ୟରେ ଓ ଜିଲ୍ଲା ରେ ପ୍ରତିଷ୍ଠା କରିବା ଆବଶ୍ୟକ, ଯାହାର ମୂଲ୍ୟ ବାହାର ବଜାର ଦର ସହ ତୁଳନାତ୍ମକ ହେଉଥିବ। ସହର ବଜାରରେ ଅଧିକ ସଂଖ୍ୟକ ଭେଣ୍ଡିଂଯୋନ ନିର୍ମାଣ କରି ବ୍ୟବସାୟୀକ ସୁଯୋଗ ପ୍ରଶାସନ ସୃଷ୍ଟି କରିବା ଆବଶ୍ୟକ। ଦାଦନ ଯିବା ବ୍ୟକ୍ତିଙ୍କ ପଞିକରଣ ଓ ନିଯୁକ୍ତି ଦାତାଙ୍କ ସଂମ୍ପୂର୍ଣ୍ଣ ବିବରଣୀ ଶ୍ରମ ବିଭାଗର ସାଇଟରେ ରହିବା ଆବଶ୍ୟକ ଓ ଶ୍ରମିକ କଲ୍ୟାଣ ଯୋଜନାର ଲାଭ ସ୍ୱଚ୍ଛତା ର ସହ ହିତାଧିକାରୀ ପାଇବା ଆବଶ୍ୟକ। ମନରେଗାରେ ମଜୁରୀର ତାରତମ୍ୟ ନ ରଖି ଓ ନିୟମିତ ମଜୁରୀ ପୈଠ ଉପରେ ଗୁରୁତ୍ୱ ଦେବା ସହ ସମାନ କାମକୁ ସମାନ ମଜୁରୀ ପ୍ରଦାନ ଉପରେ ଗୁରୁତ୍ୱ ଦେଇ ପ୍ରଶାସନ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ