ଉତ୍କଳ ଦୀପିକା’ ସ୍ମାରକୀ ପୀଠର ଭିତ୍ତିପ୍ରସ୍ତର ସ୍ଥାପନ ଖୁବ୍ଶୀଘ୍ର: ମହାନଗର ନିଗମ ପକ୍ଷରୁ ସ୍ଥାନ ପରିଦର୍ଶନ ଓ ଅନୁଧ୍ୟାନ
କଟକ, ୨୫/୦୮ ( କାହୁଁ ଚରଣ ବାରିକ ) : ଓଡ଼ିଆ ଭାଷା, ସାହିତ୍ୟ ଓ ସ୍ୱାଭିମାନର ସୁରକ୍ଷା ପାଇଁ କର୍ମବୀର ଗୌରୀଶଙ୍କର ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ଐତିହାସିକ ସ୍ମୃତିକୁ ସଂରକ୍ଷିତ କରିବା ପାଇଁ କଟକ ମହାନଗର ନିଗମ (CMC) ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ସୋମବାର ଦିନ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ, କମିଶନର ଶୁଶ୍ରୀ କିରଣଦୀପ କୌର, ରାଜ୍ୟସ୍ତରୀୟ କମିଟିର ସଦସ୍ୟ ଏବଂ ସ୍ଥାନୀୟ କର୍ପୋରେଟରମାନେ ସହରର ଐତିହାସିକ ଦର୍ଘାବଜାରସ୍ଥିତ ‘ଉତ୍କଳ ଦୀପିକା’ ସ୍ମାରକୀ ସ୍ଥାନ ପରିଦର୍ଶନ କରି ଏହାର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପୁଙ୍ଗାନୁପୁଙ୍ଖ ଅନୁଧ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନର ବହୁ ପୂର୍ବରୁ ଓଡ଼ିଆ ଭାଷାର ରକ୍ଷା କବଚ ଭାବେ କର୍ମବୀର ଗୌରୀଶଙ୍କର ରାୟଙ୍କ ନେତୃତ୍ୱରେ ଦର୍ଘାବଜାରଠାରେ ‘ଉତ୍କଳ ପ୍ରିଣ୍ଟିଂ ପ୍ରେସ’ ସ୍ଥାପନ କରାଯାଇଥିଲା। ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ଏହି ପ୍ରେସରୁ ହିଁ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ଏହି ପତ୍ରିକା ପରବର୍ତ୍ତୀ ସମୟରେ ଦୈନିକ ସମ୍ବାଦପତ୍ରରେ ପରିଣତ ହୋଇଥିଲା। ଗୌରୀଶଙ୍କର ରାୟ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ପ୍ରକାଶିତ ‘ଉତ୍କଳ ଦୀପିକା’ ତତ୍କାଳୀନ ଓଡ଼ିଶାକୁ ନୂଆ ସାମାଜିକ, ନୈତିକ ତଥା ରାଜନୈତିକ ଦିଗଦର୍ଶନ ଦେଇଥିଲା। ଆଜିବି ଓଡ଼ିଆ ସାମ୍ବାଦିକତା ଦିବସ ଅଗଷ୍ଟ ୪ ତାରିଖରେ ପାଳନ କରାଯାଏ, ଯେଉଁ ଦିନ ‘ଉତ୍କଳ ଦୀପିକା’ର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା।
ସ୍ମାରକୀ ଘୋଷଣା
ଏହି କାଳଜୟୀ ଐତିହ୍ୟକୁ ମନେରଖିବା ପାଇଁ କଟକ ମହାନଗର ନିଗମ ଏହି ସ୍ଥାନକୁ ‘ସ୍ମାରକୀ ଓ ଐତିହ୍ୟ ପୀଠ’ ଭାବରେ ଘୋଷଣା କରିଛି। କଟକ ମହାନଗର ନିଗମର ୪୧ତମ ସାଧାରଣ ଅଧିବେଶନରେ ଏ ସମ୍ପର୍କିତ ପ୍ରସ୍ତାବ ମେୟର ଶ୍ରୀ ସୁବାସ ସିଂହ ଆଗତ କରିଥିଲେ ଏବଂ ବିଜୁ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାଉନସିଲ ବୈଠକରେ ପ୍ରସ୍ତାବଟି ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।
ଏହି ଗସ୍ତ ସମୟରେ ମେୟର ଶ୍ରୀ ସୁବାସ ସିଂହ କହିଛନ୍ତି ଯେ, "ଉତ୍କଳ ଦୀପିକା ଏବଂ ଉତ୍କଳ ପ୍ରିଣ୍ଟିଂ ପ୍ରେସ ଓଡ଼ିଆ ଜାତିର ଏକ ଅମୂଲ୍ୟ ଐତିହ୍ୟ। ବର୍ତ୍ତମାନ ଏହି ଜମି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଅଧୀନରେ ରହିଛି। ରାଜସ୍ୱ ବିଭାଗରୁ ଏହି ଜମି କଟକ ମହାନଗର ନିଗମକୁ ହସ୍ତାନ୍ତର ହେବା ପରେ ଏଠାରେ ଏକ ଭବ୍ୟ ‘ଉତ୍କଳ ଦୀପିକା ସ୍ମାରକୀ ପୀଠ’ ସ୍ଥାପନ କରାଯିବ।" ଏହି ପ୍ରକଳ୍ପ ପାଇଁ ନିଗମ ପକ୍ଷରୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ବ୍ୟବସ୍ଥା କରାଯାଇଛି ଏବଂ ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା କ୍ଷଣି ଖୁବ୍ଶୀଘ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କର୍ମବୀର ଗୌରୀଶଙ୍କର ରାୟ କେବଳ ‘ଉତ୍କଳ ଦୀପିକା’ର ପ୍ରତିଷ୍ଠାତା ନୁହନ୍ତି, ବରଂ ସେ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଥିଲେ। ତାଙ୍କ ଦ୍ୱାରା ସ୍ଥାପିତ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ୧୮୬୫ ମସିହାରେ ଜଗମୋହନ ରାୟଙ୍କ ବାସଭବନରେ ଆରମ୍ଭ ହୋଇଥିଲା ଏବଂ ୧୮୭୦ ମସିହାରେ ଦର୍ଘାବଜାରରେ ନିଜର ସ୍ୱତନ୍ତ୍ର ଭବନକୁ ସ୍ଥାନାନ୍ତରିତ ହୋଇଥିଲା। ଦୁଃଖର ବିଷୟ ଯେ, ଏହି ଐତିହାସିକ ପ୍ରିଣ୍ଟିଂ ପ୍ରେସ ଭବନଟି ବର୍ତ୍ତମାନ ଭୁଷୁଡ଼ି ପଡ଼ିଛି, କେବଳ ଗୋଟିଏ କାନ୍ଥ ତାର ଗୌରବମୟ ଅତୀତର ନୀରବ ସାକ୍ଷୀ ହୋଇ ରହିଛି। ଏବେ ଏହି ସ୍ଥାନରେ ରାଜ୍ୟ ସମବାୟ ବ୍ୟାଙ୍କ ଅବସ୍ଥିତ।
ଏହି ନୂତନ ପଦକ୍ଷେପ ଫଳରେ ଓଡ଼ିଆ ଜାତିର ଏହି ଅମୂଲ୍ୟ ଐତିହ୍ୟ ସ୍ଥଳୀ ନୂଆ ପରିଚୟ ପାଇବ ଏବଂ ଆଗାମୀ ପିଢ଼ି ଏହାର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଅବଗତ ହୋଇପାରିବେ। କଟକ ମହାନଗର ନିଗମର ଏହି ଐତିହାସିକ ପଦକ୍ଷେପ ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତାର ଗୌରବମୟ ଇତିହାସକୁ ସୁରକ୍ଷିତ ଓ ସ୍ମରଣୀୟ କରି ରଖିବାରେ ଏକ ମାଇଲଖୁଣ୍ଟ ହେବ।