ନିର୍ଦ୍ଧାରିତ ସମୟରେ ହେଉନି ମିଟର ରିଡିଂ, ଅଧିକ ବିଲ୍ ନେଇ ଗ୍ରାହକଙ୍କ ଅସନ୍ତୋଷ
ନରସିଂହପୁର, ୨୫/୦୮ ( କାହୁଁ ଚରଣ ବାରିକ ) : ନିର୍ଦ୍ଧାରିତ ସମୟରେ ବିଦ୍ୟୁତ ମିଟର ରିଡିଂ ହେଉନଥିବାରୁ ଚଳିତ ଅଗଷ୍ଟ ମାସରେ ଅନେକ ଗ୍ରାହକଙ୍କ ବିଦ୍ୟୁତ ବିଲ୍ରେ ଅତିରିକ୍ତ ଅର୍ଥ ଯୋଗ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ନରସିଂହପୁର ଅଞ୍ଚଳର ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସୂଚନା ଅନୁସାରେ, ପ୍ରତିମାସର ୫ ତାରିଖଠାରୁ ନିର୍ଦ୍ଧାରିତ ତାରିଖରେ ବିଭିନ୍ନ ଗ୍ରାହକଙ୍କ ଘରୁ ମିଟର ରିଡରମାନେ ମିଟର ରିଡିଂ ନେଇଥାନ୍ତି। ତେବେ ଚଳିତ ମାସରେ ନିର୍ଦ୍ଧାରିତ ତାରିଖଠାରୁ ୫ ଦିନରୁ ଅଧିକ ବିଳମ୍ବରେ ଅନେକ ଗ୍ରାହକଙ୍କ ମିଟର ରିଡିଂ ନିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ୟୁନିଟ୍ ବ୍ୟବହାର ବଢ଼ି ଅଧିକ ହାରରେ ବିଲ୍ ଗଣନା ହୋଇଥିବାରୁ ଗ୍ରାହକଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିଥିବା କୁହାଯାଉଛି। ଘରୋଇ ଉପଭୋକ୍ତାଙ୍କ ପାଇଁ ୦ରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ପ୍ରତି ୟୁନିଟ୍ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା ଏବଂ ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୬ ଟଙ୍କା ୧୦ ପଇସା ହାରରେ ବିଦ୍ୟୁତ ଦର ରହିଛି। ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ୦ରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ୫ ଟଙ୍କା ୯୦ ପଇସା, ୧୦୧ରୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ୭ ଟଙ୍କା ଏବଂ ୩୦୦ରୁ ଅଧିକ ୟୁନିଟ୍ ପାଇଁ ୭ ଟଙ୍କା ୬୦ ପଇସା ହାର ରହିଛି। ଗ୍ରାହକମାନଙ୍କ ଅଭିଯୋଗ, ମିଟର ରିଡିଂ ବିଳମ୍ବ ହେବାରୁ ସେମାନଙ୍କ ବିଲ୍ରେ ଅତିରିକ୍ତ ଅର୍ଥ ଆସିଛି। ବିନା କାରଣରେ ଅଧିକ ଅର୍ଥ କାହିଁକି ଦେବାକୁ ପଡ଼ିବ ବୋଲି ପ୍ରଶ୍ନ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ ସନ୍ତୋଷଜନକ ଉତ୍ତର ମିଳୁନଥିବା ସେମାନେ କହିଛନ୍ତି। ଏନେଇ ନରସିଂହପୁର ବିଦ୍ୟୁତ ବିଭାଗର ଏସ୍ଡିଓ ଡି.କେ. ରାୟଙ୍କୁ ପଚାରିବାରୁ, ମିଟର ରିଡରମାନେ ଆନ୍ଦୋଳନରେ ଥିବାରୁ ଚଳିତ ମାସରେ ମିଟର ରିଡିଂ ବିଳମ୍ବ ହୋଇଥିବା କହିଛନ୍ତି। ବିଳମ୍ବ ଯୋଗୁଁ ଯେଉଁ ଗ୍ରାହକଙ୍କ ବିଲ୍ରେ ଅଧିକ ଅର୍ଥ ଆସିଛି, ତାହା ଆସନ୍ତା ମାସରେ ସମାଧାନ କରାଯିବ। ଗ୍ରାହକଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ଏସ୍ଡିଓ ଶ୍ରୀ ରାୟ ସ୍ପଷ୍ଟ କରିଛନ୍ତି।