Hot Posts

6/recent/ticker-posts

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଝୁଲୁଛି ତାଲା;ଅବହେଳାରେ ନଷ୍ଟ ହେବାକୁ ବସିଛି ସରକାରୀ ସମ୍ପତ୍ତି।

ବୋଲଗଡ଼, ୧୩/୦୭ (ସୁଶାନ୍ତ କୁମାର ପ୍ରଧାନ) : ସାଧାରଣ ଲୋକଙ୍କ ଦ୍ୱାରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ରାଜସୁନାଖଳା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଜି ନିଜେ ଅବହେଳାର ଚିତ୍ର ପାଲଟିଛି। ରାଜସୁନାଖଳାରୁ ରଣପୁର ଯିବା ମୁଖ୍ୟ ରାସ୍ତାର ରଘୁନାଥପୁର ଛକ ନିକଟରେ ଥିବା ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକାଂଶ ସମୟ ତାଲା ଝୁଲୁଥିବା ଅଭିଯୋଗ ହେଉଛି। ଫଳରେ ଏହି କେନ୍ଦ୍ର ଉପରେ ନିର୍ଭର କରୁଥିବା ବହୁ ଗ୍ରାମର ଲୋକେ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନାହିଁ। ରାସ୍ତାର ଉଭୟ ପାର୍ଶ୍ୱରେ ଘାସ, ବୁଦା ଓ ଜଙ୍ଗଲ ମାଡ଼ି ଆସିଥିବାରୁ ଏହା ଏବେ ପ୍ରାୟ ଚଳାଚଳ ଅଯୋଗ୍ୟ ହୋଇପଡ଼ିଛି। ବର୍ଷା ଦିନରେ ପାଣି ଜମିବା ସହ କାଦୁଅ ହୋଇଯାଉଥିବାରୁ ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଓ ଜରୁରୀ ରୋଗୀଙ୍କ ପାଇଁ କେନ୍ଦ୍ରରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ବାଧ୍ୟ ହୋଇ ଦୂରସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ବେସରକାରୀ କ୍ଲିନିକର ଦ୍ୱାରସ୍ଥ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଭାବେ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହୁନଥିବାରୁ ଅଧିକାଂଶ ସମୟ କେନ୍ଦ୍ରରେ ତାଲା ଝୁଲୁଥାଏ। ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନିରାଶ ହୋଇ ଫେରିଯାଉଥିବା ବେଳେ ସରକାରଙ୍କ ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା’ ଲକ୍ଷ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ସରକାରୀ ଭବନଟି ରକ୍ଷଣାବେକ୍ଷଣର ଅଭାବରୁ ଧୀରେ ଧୀରେ ନଷ୍ଟ ହେବାକୁ ବସିଛି। ଭବନ ପରିସରରେ ଅନାବନା ଗଛପଲା ଉଠିଥିବା ବେଳେ ପରିବେଶ ମଧ୍ୟ ଅପରିଷ୍କାର ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ମତରେ, ଲୋକଙ୍କ ସେବା ପାଇଁ ନିର୍ମିତ ଏହି କେନ୍ଦ୍ର ଆଜି ପ୍ରଶାସନିକ ଅବହେଳାର ନିଦର୍ଶନ ପାଲଟିଛି। ସରକାରୀ ଅର୍ଥରେ ନିର୍ମିତ ଭିତ୍ତିଭୂମିର ଯଥାଯଥ ବ୍ୟବହାର ନ ହେବା ଦୁଃଖଦ ବିଷୟ ବୋଲି ସେମାନେ କହିଛନ୍ତି। ଅଞ୍ଚଳବାସୀଙ୍କ ଦାବି ହେଉଛି ତୁରନ୍ତ କେନ୍ଦ୍ରରେ ନିୟମିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି ସୁନିଶ୍ଚିତ କରାଯାଉ। କେନ୍ଦ୍ରକୁ ଯିବା ସ୍ଵତନ୍ତ୍ର କରାଯାଉ ଏବଂ ଭବନର ରକ୍ଷଣାବେକ୍ଷଣ ସହ ସମସ୍ତ ମୌଳିକ ସ୍ୱାସ୍ଥ୍ୟସେବା ଶୀଘ୍ର ଆରମ୍ଭ କରାଯାଉ। ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିପାରେ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି।