ଭବାନୀପାଟଣାରେ IMFL OFF Shop No. 1 ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କଳାହାଣ୍ଡି, ୦୧/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ମା' ମାଣିକେଶ୍ୱରୀ ମନ୍ଦିର ଓ ମାଉସୀ ମା' ମନ୍ଦିର ପରି ପବିତ୍ର ସ୍ଥାନ, ସବୁବେଳେ ଭିଡ଼ ରହୁଥିବା ଷ୍ଟାଚ୍ୟୁ ଛକ ଏବଂ ଦୈନିକ ବଜାର ନିକଟରେ ଥିବା ମଦ ଦୋକାନ ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା, ମଦ୍ୟପଙ୍କ ଗଣ୍ଡଗୋଳ ଏବଂ ସାଧାରଣ ଲୋକଙ୍କ ଅସୁବିଧା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏହା ବିରୋଧରେ ଜନସାଧାରଣଙ୍କ ଆପତ୍ତି ସମ୍ପୂର୍ଣ୍ଣ ଯୁକ୍ତିସଙ୍ଗତ। ପ୍ରାୟ ଏକ ମାସ ପୂର୍ବରୁ ହିଁ ସ୍ପଷ୍ଟ କରାଯାଇଥିଲା ଯେ, ଏହି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଅତ୍ୟାବଶ୍ୟକ। ବର୍ତ୍ତମାନ ସ୍ଥାନରେ ଏହାର ପରିଚାଳନା ଆଉ ଚାଲିପାରିବ ନାହିଁ। ଆଜି କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ କମିଟି ଏବଂ ଭବାନୀପାଟଣା ସଦର ବାସିନ୍ଦାଙ୍କ ପକ୍ଷରୁ ଭବାନୀପାଟଣା ୱାର୍ଡ ନଂ–୮, ଷ୍ଟାଚ୍ୟୁ ଛକ ନିକଟରେ ଅବସ୍ଥିତ IMFL OFF Shop No. 1 ର ଲାଇସେନ୍ସ ନବୀକରଣ ବନ୍ଦ ରଖି ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଦୋକାନଟିର ଲାଇସେନ୍ସର ମିଆଦ ୩୦.୦୬.୨୦୨୬ ରେ ଶେଷ ହୋଇଥିଲେ ମଧ୍ୟ ସେହି ସ୍ଥାନରେ ପୁନର୍ବାର ଲାଇସେନ୍ସ ନବୀକରଣ କରି ଦୋକାନ ଖୋଲିବା ପ୍ରସ୍ତାବ ରହିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦାବିର ମୁଖ୍ୟ କାରଣଗୁଡ଼ିକ:
• ଦୈନିକ ଓ ସାପ୍ତାହିକ ବଜାର ନିକଟରେ ଥିବାରୁ ଗୁରୁତର ଟ୍ରାଫିକ ସମସ୍ୟା ଓ ଜନସାଧାରଣଙ୍କ ଅସୁବିଧା।
• ମା' ମାଣିକେଶ୍ୱରୀ ମନ୍ଦିର ଓ ମାଉସୀ ମା' ମନ୍ଦିର ପରି ପବିତ୍ର ଧାର୍ମିକ ସ୍ଥାନ ନିକଟରେ ମଦ ଦୋକାନ ରହିବା ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ କରୁଛି।
• ଦୋକାନ ନିକଟରେ ମଦ୍ୟପଙ୍କ ଗଣ୍ଡଗୋଳ, ଅଶାଳୀନ ବ୍ୟବହାର ଓ ଆଇନ-ଶୃଙ୍ଖଳା ସମସ୍ୟା ଯୋଗୁଁ ମହିଳା, ଶିଶୁ ଓ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଉଛି।
• ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୋକାନଟିକୁ ସହରର ବାଣିଜ୍ୟିକ ଓ ଧାର୍ମିକ କେନ୍ଦ୍ର ବାହାରେ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବା ଆବଶ୍ୟକ।
ତଦନ୍ତ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଦୋକାନଟିକୁ ପୂର୍ବ ସ୍ଥାନରେ ପୁନର୍ବାର ଖୋଲିବାକୁ ଅନୁମତି ଦିଆ ନଯାଉ। ଯଦି ଜନସାଧାରଣଙ୍କ ଯୁକ୍ତିଯୁକ୍ତ ଦାବିକୁ ଅଣଦେଖା କରାଯାଏ, ତେବେ ସ୍ଥାନୀୟ ବାସିନ୍ଦା, ସାମାଜିକ ସଂଗଠନ ଓ ଜିଲ୍ଲା ମହିଳା କଂଗ୍ରେସ କମିଟି ଆଇନସମ୍ମତ ଓ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଗତୀ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋହମ୍ମଦ ସାହେବ, NSUI ସଭାପତି ଶୁଭମ ବାରିକ, ମନ୍ଦାକିନୀ ବାଣୁଆ, ନୀତିନ କୁମାର ନାଗ, ଇନ୍ଦ୍ରଜିତ ମହାକୁଡ଼, ଭଗବତ ଲାଲ, ଥାନା ସୁନ୍ଦର ନାଏକ, ସିଧେନ ନାୟକ, ଲିଙ୍ଗରାଜ ନାୟକ, ସୁକାନ୍ତି ସରାଫ, ପୁଷ୍ପାଞ୍ଜଳି ସରାଫ, ସୌଭାଗ୍ୟ ମଲ୍ଲିକ, ଯଜ୍ଞସେନୀ ପାତ୍ର, ରୁକୁଣୀ ଶବର, ପୁନମ, ଲିପ୍ସା ବିଶ୍ୱାଳ, କଳ୍ପନା ମେହେରଙ୍କ ସହ ବହୁ କର୍ମକର୍ତ୍ତା ଓ ୱାର୍ଡବାସୀ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ