Hot Posts

6/recent/ticker-posts

ସିନାପାଲି ଥାନାର ନବନିଯୁକ୍ତ IIC ମହେଶ୍ୱର ପାଣିଗ୍ରାହୀଙ୍କୁ ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ସମ୍ବର୍ଦ୍ଧନା

ସିନାପାଲି, ୧୭/୦୭ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲାର ସିନାପାଲି ଥାନାରେ ନବନିଯୁକ୍ତ ଆଇ.ଆଇ.ସି. ମହେଶ୍ବର ପାଣିଗ୍ରାହୀଙ୍କୁ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ, ସିନାପାଲି ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରାଯିବା ସହ ଉତ୍ତରୀୟ ପ୍ରଦାନ କରି ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ବାଗତ ଓ ଶୁଭେଚ୍ଛା ଜଣାଯାଇଥିଲା। ଏହି ଅବସରରେ ସଂଘର ସଦସ୍ୟମାନେ ନବନିଯୁକ୍ତ ଆଇ.ଆଇ.ସି.ଙ୍କ ସହ ବିଭିନ୍ନ ଜନସ୍ବାର୍ଥ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ। ବିଶେଷକରି ସିନାପାଲି ଅଞ୍ଚଳରେ ଆଇନ-ଶୃଙ୍ଖଳାର ସୁଦୃଢ଼ ପରିଚାଳନା, ଅପରାଧ ନିୟନ୍ତ୍ରଣ, ସଡ଼କ ସୁରକ୍ଷା, ସାଧାରଣ ଲୋକଙ୍କ ଅଭିଯୋଗର ତ୍ବରିତ ସମାଧାନ ଏବଂ ପୋଲିସ-ଜନତା ସମ୍ପର୍କକୁ ଆହୁରି ନିବିଡ଼ କରିବା ଦିଗରେ ଆଲୋଚନା ହୋଇଥିଲା। ସାମ୍ବାଦିକ ଓ ପୋଲିସ ପ୍ରଶାସନ ପରସ୍ପର ସହଯୋଗ ମାଧ୍ଯମରେ ସମାଜର ହିତରେ କାର୍ଯ୍ୟ କରିବାକୁ ସଂଘ ପକ୍ଷରୁ ମତ ପ୍ରକାଶ କରାଯାଇଥିଲା। ଆଇ.ଆଇ.ସି. ମହେଶ୍ବର ପାଣିଗ୍ରାହୀ ସାମ୍ବାଦିକ ସଂଘର ଏହି ସୌଜନ୍ୟମୂଳକ ସାକ୍ଷାତ ପାଇଁ କୃତଜ୍ଞତା ଜଣାଇବା ସହ ଜନସାଧାରଣଙ୍କ ସେବାକୁ ସର୍ବାଧିକ ଗୁରୁତ୍ବ ଦେଇ ନିରପେକ୍ଷ ଓ ସ୍ବଚ୍ଛ ପୋଲିସ ବ୍ୟବସ୍ଥା ମାଧ୍ୟମରେ ଆଇନର ଶାସନ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। ସେ ସମସ୍ତଙ୍କ ସହଯୋଗ କାମନା କରିବା ସହ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସଦା ତତ୍ପର ରହିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ବ୍ୟୁରୋଚିଫ ଜଗନ୍ନାଥ ସାଗର, ସଭାପତି ବିଘ୍ନରାଜ ତାଣ୍ଡି, ଉପ-ସଭାପତି ଚିନ୍ତାମଣି ନେତାମ, ସମ୍ପାଦକ ରାକେଶ ଗହୀର, କୋଷାଧ୍ୟକ୍ଷ ବନ ମେହେରଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ନବନିଯୁକ୍ତ ଆଇ.ଆଇ.ସି.ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶେଷରେ ସମସ୍ତେ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିବା ସହ ସିନାପାଲି ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସୁଶାସନ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଥିଲେ।