Hot Posts

6/recent/ticker-posts

ଜୟପାଟଣା ବ୍ଲକ କାର୍ଯ୍ୟାଳୟରେ ଅବ୍ୟବସ୍ଥାର ଚିତ୍ର, ପରିମଳ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଜୟପାଟଣା, ୧୫/୦୭ (ରିତେଶ କୁମାର ମୁଣ୍ଡ) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ କାର୍ଯ୍ୟାଳୟରେ ପରିମଳ ଓ ପରିଚ୍ଛନ୍ନତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। କାର୍ଯ୍ୟାଳୟ ପରିସରରେ ଅବ୍ୟବସ୍ଥା ଦେଖିବାକୁ ମିଳୁଥିବା ବେଳେ ପ୍ରତିଦିନ ବିଭିନ୍ନ ସରକାରୀ କାମରେ ଆସୁଥିବା ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କାର୍ଯ୍ୟାଳୟ ଭିତରେ ଏକ କୁକୁର ଅବାଧରେ ଶୋଇଥିବା ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ କାନ୍ଥରେ ପାନ ଛେପ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା ସହିତ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ବସିବା ପାଇଁ ରଖାଯାଇଥିବା ଚୌକିଗୁଡ଼ିକ ଉପରେ ବାଲ୍ଟି, ବାଉଁଶ ବାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଥିବାରୁ ସେଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବ୍ଲକ କାର୍ଯ୍ୟାଳୟକୁ ପ୍ରତିଦିନ ବିଡିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଆସୁଥିଲେ ମଧ୍ୟ କାର୍ଯ୍ୟାଳୟର ପରିମଳ ଓ ପରିଚ୍ଛନ୍ନତା ପ୍ରତି ପର୍ଯ୍ୟାପ୍ତ ଧ୍ୟାନ ଦିଆଯାଉନାହିଁ। ସାଧାରଣ ଲୋକଙ୍କ ସୁବିଧା ପାଇଁ ଥିବା ବ୍ୟବସ୍ଥା ଅନ୍ୟ କାମରେ ବ୍ୟବହୃତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏହି ଦୃଶ୍ୟ ପ୍ରକାଶ ପାଇବା ପରେ ବ୍ଲକ କର୍ତ୍ତୃପକ୍ଷ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।