କଳାହାଣ୍ଡିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ: ରିଆ ନାଏକଙ୍କ ମୃତ୍ୟୁକୁ ନେଇ CDMO ଅଫିସ ସମ୍ମୁଖରେ ବିଜେଡିର ବିଶାଳ ବିକ୍ଷୋଭ
କଳାହାଣ୍ଡି, ୧୦/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନର୍ଲା ବ୍ଲକ ତୁଲାପଡା ଗ୍ରାମର ନାବାଳିକା ରିଆ ନାଏକଙ୍କ ମୃତ୍ୟୁ ପାଇଁ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଓ ଖରାପ ଆମ୍ବୁଲାନ୍ସ ସେବାକୁ ଦାୟୀ କରି ବିଜେଡି ନେତା ଓ କର୍ମୀମାନେ ସରକାର ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟ ପ୍ରଶାସନ ବିରୋଧରେ ଜୋରଦାର ପ୍ରତିବାଦ କରିଛନ୍ତି। ବିଜେଡିର ଶତାଧିକ ନେତା ଓ କର୍ମୀ CDMO କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ସରକାର ବିରୋଧରେ ସ୍ଲୋଗାନ ଦେବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବ୍ୟବସ୍ଥାକୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଥିଲେ। ଦଳର ଅଭିଯୋଗ ଅନୁସାରେ, ନର୍ଲା ବ୍ଲକ ତୁଲାପଡା ଗ୍ରାମର ରିଆ ନାଏକ ଅସୁସ୍ଥ ହେବା ପରେ ତାଙ୍କୁ ଠିକ୍ ସମୟରେ ଉନ୍ନତ ଚିକିତ୍ସା ପାଇଁ ପହଞ୍ଚାଇବାରେ ବିଫଳତା ଏବଂ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାଙ୍କ ଜୀବନ ଚାଲିଯାଇଥିଲା। ଏହା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳାର ପରିଣାମ ବୋଲି ଦଳ ଦାବି କରିଛି। ବିଜେଡି ନେତାମାନେ କହିଛନ୍ତି ଯେ, କଳାହାଣ୍ଡିର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏଭଳି ଅବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ୁଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଥିବା ବେଳେ ତୁରନ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ପାଇଁ ଦାବି ଉଠିଛି। ଆନ୍ଦୋଳନ ଶେଷରେ ବିଜେଡି ପକ୍ଷରୁ CDMOଙ୍କ ଜରିଆରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ମୃତ ରିଆ ନାଏକଙ୍କ ପରିବାରକୁ ତୁରନ୍ତ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ଚିକିତ୍ସାରେ ଅବହେଳା କରିଥିବା ସମ୍ପୃକ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।