ରାୟଗଡ଼ା ରେଳ ଷ୍ଟେସନ ନାମଫଳକରୁ ତେଲୁଗୁ ଭାଷା ହଟାଇବାକୁ ନେଇ ବିରୋଧ, ADRMଙ୍କୁ ସ୍ମାରକପତ୍ର ପ୍ରଦାନ
ରାୟଗଡା, ୧୦/୦୭ ( ଭି. ଗୌରି ଶଙ୍କର ରାଓ ) : ଆଜି ରାୟଗଡ଼ର ବିଭିନ୍ନ ତେଲୁଗୁ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ମିଶି ରାୟଗଡ଼ ରେଳ ଷ୍ଟେସନ ନାମଫଳକରୁ ତେଲୁଗୁ ଭାଷାରେ ଲେଖାଯାଇଥିବା ନାମକୁ ହଟାଯାଇଥିବା ପ୍ରସଙ୍ଗରେ ଆମେ ADRM ମହୋଦୟଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ପ୍ରଦାନ କଲୁ। ରାୟଗଡ଼ ରେଳ ଷ୍ଟେସନର ନାମଫଳକରେ ଦୀର୍ଘଦିନ ଧରି ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ—ଏହି ଚାରିଟି ଭାଷାରେ ନାମ ପ୍ରଦର୍ଶିତ ହୋଇଆସୁଥିଲା। ସମ୍ପ୍ରତି ତେଲୁଗୁ ଭାଷାର ନାମକୁ ହଟାଯାଇଥିବାରୁ ସ୍ଥାନୀୟ ତେଲୁଗୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାୟଗଡ଼ରେ ବହୁ ସଂଖ୍ୟକ ତେଲୁଗୁ ଭାଷାଭାଷୀ ଲୋକ ବସବାସ କରୁଥିବା ସହ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ରାୟଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ମାଝିଘରିଆଣୀଙ୍କ ଦର୍ଶନ ପାଇଁ ଆସିଥାନ୍ତି। ସେଥିପାଇଁ ରେଳ ଷ୍ଟେସନ ନାମଫଳକରେ ପୂର୍ବଭଳି ତେଲୁଗୁ ଭାଷାକୁ ପୁନଃ ସାମିଲ କରାଯିବାକୁ ଆମେ ଦାବି ଜଣାଇଛୁ। ଆମର ଦାବି ହେଉଛି ଯେ, ରାୟଗଡ଼ ରେଳ ଷ୍ଟେସନ ନାମଫଳକରେ ପୂର୍ବପରି ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଏହି ଚାରିଟି ଭାଷାରେ ନାମ ପ୍ରଦର୍ଶିତ କରାଯାଉ।