Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କଲେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର

ନୂଆପଡ଼ା, ୨୮/୦୭ ( ପରମେଶ୍ୱର ମେହେର ) : ଓଡ଼ିଶାର ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର ସୋମବାର ନୂଆପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ (ଏସ୍‌ଆଇଆର୍‌-୨୦୨୬) କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ଗସ୍ତ ଅବସରରେ ସେ ନୂଆପଡ଼ା ବ୍ଲକ ଅଧୀନ ଆମାନର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ହୋଇଥିବା ଶୁଣାଣି ସ୍ଥଳ ପରିଦର୍ଶନ କରି ଶୁଣାଣି ପ୍ରକ୍ରିୟାର ତଦାରଖ କରିଥିଲେ। ସେଠାରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ନିର୍ବାଚନ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ମତଦାତାମାନଙ୍କ ସହ ଆଲୋଚନା କରି ଶୁଣାଣି ପ୍ରକ୍ରିୟାର ସ୍ୱଚ୍ଛତା, ଗୁଣାତ୍ମକ ମାନ ଓ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ, ଉପଜିଲ୍ଲାପାଳ-ତଥା-ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୭୧ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ସୁର୍ମୀ ସୋରେନ, ଅତିରିକ୍ତ ଜିଲ୍ଲାପାଳ-ତଥା-ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୭୨ ଖଡ଼ିଆର ବିଧାନସଭା ନିର୍ବାଚନମଣ୍ଡଳୀ ସୁବାଷ ଚନ୍ଦ୍ର ରଇତ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ ନସିମ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ସେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରିବା ସହ ନୋଟିସ୍‌ଗୁଡ଼ିକର ଅନ୍‌ଲାଇନ୍‌ ଫଇସଲା ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ନୋଟିସ୍‌ର ସମୟୋପଯୋଗୀ, ସ୍ୱଚ୍ଛ ଏବଂ ନିର୍ଭୁଲ ଫଇସଲା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ କୁଅଁର କହିଥିଲେ ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରତ୍ୟେକ ସ୍ତରରେ ନିର୍ଭୁଲତା, କାର୍ଯ୍ୟଦକ୍ଷତା ଏବଂ ନାଗରିକ-କୈନ୍ଦ୍ରିକ ସେବାକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ। ମତଦାତାଙ୍କ ସୁବିଧା ଓ ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ ଯଥାନିୟମ ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବାକୁ ସେ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇଥିଲେ।