Hot Posts

6/recent/ticker-posts

ନୂଆପଡ଼ାରେ ପ୍ରବାସୀ ଶ୍ରମିକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ: ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ା, ୨୮/୦୭ ( ପରମେଶ୍ୱର ମେହେର ) : ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା, କଲ୍ୟାଣ ଏବଂ ପ୍ରବାସ ପ୍ରଥାକୁ ହ୍ରାସ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସମନ୍ୱୟ କମିଟିର ବୈଠକ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରର କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ସମୀକ୍ଷାରୁ ପ୍ରକାଶ ଯେ, ଜୁନ୍ ମାସରେ ଶ୍ରମ ବିଭାଗ ପକ୍ଷରୁ ପ୍ରବାସୀ ପରିବାରର ୩୨୭ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ମତ୍ସ୍ୟ ବିଭାଗ ୫୨ଟି ପ୍ରବାସୀ ପରିବାର ପରିଦର୍ଶନ କରି ୬ଟି ପରିବାରକୁ ୨୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛି। ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ପକ୍ଷରୁ ୧,୫୦୩ଟି ପ୍ରବାସୀ ପରିବାରକୁ ପରିଦର୍ଶନ କରାଯାଇ ୭୩ ଲକ୍ଷ ୬୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରବାସୀ ପରିବାରର ୯୨୩ ଜଣ ଶିଶୁଙ୍କୁ ବିଦ୍ୟାଳୟରେ ନାମଲେଖା କରାଯିବା ସହ ମାଗଣା ପାଠ୍ୟପୁସ୍ତକ ଓ ବିଦ୍ୟାଳୟ ପୋଷାକ ପ୍ରଦାନ କରାଯାଇଛି। ସେହିପରି ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ପକ୍ଷରୁ ୭୪୭ଟି ପ୍ରବାସୀ ପରିବାର ପରିଦର୍ଶନ କରାଯାଇ ୧୩୧ ଜଣଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ପାଇଁ ଯୋଗ୍ୟ ବିବେଚନା କରାଯାଇଥିବା ବେଳେ ୩୪ ଜଣଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଇଛି। ଏହାବ୍ୟତୀତ ଜିଲ୍ଲାର ପାଞ୍ଚଟି ବ୍ଲକର ବିଡିଓ ଏବଂ ତହସିଲଦାରମାନେ ପ୍ରବାସୀ ଶ୍ରମିକ ପରିବାରଙ୍କ ପାଇଁ କରାଯାଇଥିବା ବିଭିନ୍ନ ହସ୍ତକ୍ଷେପ ଓ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ପ୍ରବାସ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମସ୍ତ ବିଭାଗର ସାମୂହିକ ଓ ସମନ୍ୱିତ ପ୍ରୟାସ ଆବଶ୍ୟକ। ପ୍ରତ୍ୟେକ ବିଭାଗ ନିଜ ନିଜ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ପ୍ରବାସୀ ପରିବାରମାନଙ୍କ ନିକଟରେ ପହଞ୍ଚିବା ସହ ଏହି କାର୍ଯ୍ୟକ୍ରମକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲାଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।