ଏକ ଦିନରେ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ
ଝରୀଗାଁ, ୨୮/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକରେ ସୋମବାର ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ଉମରକୋଟ ମେଡିକାଲରେ ପ୍ରାଣହାନି ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଭାଲୁକାନାଡି ପଞ୍ଚାୟତର ମଙ୍ଗଳୀଗୁଡ଼ା ଗ୍ରାମର ଚୈତନ୍ୟ ଗୌଡ଼ (୨୮) ଜମିରେ ପାଣି କାଢ଼ୁଥିବା ବେଳେ ସାପ କାମୁଡ଼ିଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଉମରକୋଟ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ବଡ଼ ଟେମରା ପଞ୍ଚାୟତର ଜବାଗୁଡ଼ା ଗ୍ରାମର ସପ୍ରା ସାନ୍ତା (୩୮)ଙ୍କୁ ମଧ୍ୟ ସାପ କାମୁଡ଼ିଥିଲା। ତାଙ୍କୁ ତୁରନ୍ତ ଉମରକୋଟ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ଘଟଣାରେ ଝରୀଗାଁ ଥାନା ପୁଲିସ ଏସ୍ଆଇ ମମତା ସେଠୀଙ୍କ ନେତୃତ୍ୱରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଇନଗତ ପ୍ରକ୍ରିୟା ଶେଷ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ବର୍ଷା ଋତୁରେ ସାପଙ୍କ ଉପଦ୍ରବ ବଢ଼ୁଥିବାରୁ ସାପ କାମୁଡ଼ିଲେ ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସରେ ବିଶ୍ୱାସ ନ କରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।