ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଦୁଇ ମାସ ବିତିଲା, ନିର୍ମାଣ ହେଲା ନାହିଁ ବାଡ଼ା, ବିପଦରେ ପଥଚାରୀ
ବରୀ, ୧୭/୦୭ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଦୁଇ ମାସ ତଳେ ବରୀ ବ୍ଲକକୁ ଅଭିଯୋଗ ଶୁଣିବାକୁ ଆସିଥିଲେ । ଏହି ସମୟରେ ସାମାଜିକ ଅନୁଷ୍ଠାନ ଜାଗ୍ରତ ବରୀ ପକ୍ଷରୁ ବିପଦ ପୂର୍ଣ୍ଣ କନ୍ତକାର ସେତୁର ବାଡ଼ା ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅଭିଯୋଗ ପାଇ ଜିଲ୍ଲାପାଳ ତୁରନ୍ତ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ବାଡ଼ା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବିଡ଼ମ୍ବନାର ବିଷୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଦେଇଛି ପୂର୍ତ୍ତ ବିଭାଗ । ଜିଲ୍ଲାପାଳଙ୍କ ନିର୍ଦେଶକୁ ଦୁଇ ମାସ ସମୟ ଅତିକ୍ରାନ୍ତ ହୋଇଥିଲା ବେଳେ ସେତୁ ସଂଯୋଗୀକରଣ ବାଡ଼ା ସେମିତି ମୁକୁଳା ପଡିଛି । ବରୀ ବ୍ଲକର ପ୍ରମୁଖ ରାସ୍ତା ହେଉଛି ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତା । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ଗତାଗତ କରୁଥିଲା ବେଳେ ଶତାଧିକ ବଡ଼ ଓ ଛୋଟ ଗାଡି ଗତାଗତ କରୁଛି । ଏହି ରାସ୍ତାରେ ଏକମାତ୍ର ସେତୁ ହେଉଛି କନ୍ତକାର ସେତୁ । ପୂର୍ବରୁ ଜଳ ସଂପଦ ବିଭାଗ ଅଧିନରେ ଥିଲା ବେଳେ ସେତୁର ଉଭୟ ପଟରେ ସିମେଣ୍ଟ ଖୁଣ୍ଟ ନିର୍ମାଣ ହୋଇଥିଲା । ଯାହା ବେଶ କିଛି ଦିନ ହେଲା ଭାଙ୍ଗି ଯାଇଛି । ଫଳରେ ଉଭୟ ପଟ ବିପଦପୂର୍ଣ୍ଣ ହୋଇ ରହିଛି । ଏଠାରେ ଦୁର୍ଘଟଣା ହେଲେ ଧନ ଜୀବନ ହାନିର ସମ୍ଭାବନା ରହିଛି । ଏଠାରେ ତୁରନ୍ତ ସ୍ଥାୟୀ ବାଡ଼ା ନିର୍ମାଣ କରିବାକୁ ଜାଗ୍ରତ ବରୀ ପକ୍ଷରୁ ଦାବି ହୋଇଛି ।