ନୂଆପଡ଼ା ରଖଡ଼ିଆଳ ଏନଏସିରେ ବଡ଼ ରାଜନୈତିକ ପରିବର୍ତ୍ତନ : ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ସମେତ ଉପାଧ୍ୟକ୍ଷା ଓ ୬ କାଉନସିଲର ବିଜେପିରେ ସାମିଲ
ନୂଆପଡା, ୧୭/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ପରିଷଦ (ଏନଏସି) ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ତାଙ୍କ ସହ ଏନଏସି ଉପାଧ୍ୟକ୍ଷା ଶକୁନ୍ତଳା ରାଉତ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଖଡ଼ିଆଳ ଏନଏସିର ୬ ଜଣ କାଉନସିଲର ମଧ୍ୟ ବିଜେପିର ହାତ ଧରିଛନ୍ତି। ସେମାନେ ହେଲେ ସିନୁଲ କୁମାର ସାହୁ, ମିନତୀ ହଂସ, ରେବତୀ ଶବର, ନରେନ୍ଦ୍ର ଶବର, ଚନ୍ଦନ ସାହୁ ଏବଂ ଯଶୋଦା ସିନ୍ଧୁର। ଏହା ସହ ସମୀର ତାଣ୍ଡି, ସାଗର ଭୋଇ ଓ ଅନିଲ ସିନ୍ଧୁର ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ମାଳବିକା ଦେବୀ ଏବଂ ନୂଆପଡ଼ା ଜିଲ୍ଲା ବିଜେପି ସଭାପତି କମଳେଶ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ଦଳୀୟ ନେତୃତ୍ୱ କହିଥିଲେ ଯେ, ଖଡ଼ିଆଳ ଅଞ୍ଚଳରେ ଏହି ଯୋଗଦାନ ଦଳକୁ ଅଧିକ ସୁଦୃଢ଼ କରିବା ସହ ବିକାଶ କାର୍ଯ୍ୟକୁ ଆହୁରି ଗତିଶୀଳ କରିବ। କାର୍ଯ୍ୟକ୍ରମରେ ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ, ଖଡ଼ିଆଳ ରାଜା ଦେବଦେବ ସିଂହଦେଓଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଖଡ଼ିଆଳ ଏନଏସିର ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ଏକାଧିକ କାଉନସିଲରଙ୍କ ବିଜେପିରେ ଯୋଗଦାନକୁ ନେଇ ନୂଆପଡ଼ା ଜିଲ୍ଲା ରାଜନୀତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଚର୍ଚ୍ଚାର ବିଷୟ ପାଲଟିଛି।