ବିଅର ବୋତଲ ପରିବେଶ ମଧ୍ୟରେ କୋକସରା ବରାଡ଼ଙ୍ଗା ପଂଚାୟତ କାର୍ଯ୍ୟାଳୟ
କୋକସରା, ୦୬/୦୭ ( ରିତେଶ କୁମାର ମୁଣ୍ଡ ) : ସ୍ୱାସ୍ଥ୍ୟକର ପରିବେଶରେ ଜୀବନଯାପନ କରିବା ପ୍ରତ୍ୟେକ ମନୁଷ୍ୟଙ୍କର ମୌଳିକ ଆବଶ୍ୟକତା। ସାଧାରଣ ଲୋକେ ନିଜ ଘର ଓ ଆସପାସକୁ ସଫା ସୁତୁରା ରଖିବା ପାଇଁ ସଚେତନ ରହୁଥିବା ବେଳେ, ତାହାର ବିପରୀତ ଦୃଶ୍ୟ କୋକସରା ବ୍ଲକ ବରାଡ଼ଙ୍ଗା ପଂଚାୟତ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟକୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଗ୍ରାମ ରୋଜ ଗାର ସେବକ, ଯୋଗାଣ ସହାୟକ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ପ୍ରତିଦିନ ନିଜ ଦାୟିତ୍ୱ ପାଳନ ପାଇଁ ଆସୁଥିବା ସତ୍ତ୍ୱେ, କାର୍ଯ୍ୟାଳୟ ପରିସରର ସଫା-ସୁତୁରା ପ୍ରତି କାହାର ମଧ୍ୟ ଯଥେଷ୍ଟ ଧ୍ୟାନ ନାହିଁ। ସରକାରଙ୍କ ମୋଟା ଅଙ୍କର ଦରମା ଗ୍ରହଣ କରୁ ଥିବା ସତ୍ତ୍ୱେ, କାର୍ଯ୍ୟାଳୟରେ ସ୍ୱଚ୍ଛ ପରିବେଶ ସୃଷ୍ଟି ପାଇଁ କୌଣସି ଉଦ୍ୟମ ଦେଖାଯାଉନାହିଁ। କାର୍ଯ୍ୟାଳୟ ପରିସର ରେ ବିଅର ବୋତଲ, ପାନ ଛେପ ଆବର୍ଜନା ରେ ଭରିଥିବା ବେଳେ, ଅଧିକାରୀମାନେ କେବଳ ଡ୍ୟୁଟି କରି ଘରକୁ ଫେରିଯାଉଥିବା ଅଭିଯୋଗ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଅଫିସ ପରିସର ଯେପରି ଅବସ୍ଥାରେ ରହୁ, ତାହାକୁ ନେଇ କାହାର ମଧ୍ୟ ମନୋଯୋଗ ନଥିବା ପ୍ରଶ୍ନ ଉଠିଛି। ଏକ ପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାର ‘ସ୍ୱଚ୍ଛ ଭାରତ ଅଭିଯାନ’ ଓ ‘ସୁସ୍ଥ ଜୀବନ’ ନାରା ଦେଇ କୋଟି କୋଟି ଟଙ୍କା ବ୍ୟୟ କରି ଯୋଜନା ରୂପାୟଣ କରୁଥିବା ବେଳେ, ଅନ୍ୟ ପକ୍ଷରେ ସେହି ଯୋଜନାର ମୁଖ୍ୟ ରୂପାୟଣ ଓ ତଦାରଖ ଦାୟିତ୍ୱ ଥିବା ବରାଡ଼ଙ୍ଗା ପଂଚାୟତ କାର୍ଯ୍ୟାଳୟ ଅସ୍ୱଚ୍ଛ ଅବସ୍ଥାରେ ଥିବାଟି ଦୁଃଖଦ ଓ ଆଶ୍ଚର୍ଯ୍ୟଜନକ। ଏପରି ସ୍ଥିତିରେ, ଉଚ୍ଚ ପ୍ରଶାସନ ଏହାପ୍ରତି ଦୃଷ୍ଟି ଦେଇ ବରାଡ଼ଙ୍ଗା ପଂଚାୟତ କାର୍ଯ୍ୟାଳୟରେ ସ୍ୱଚ୍ଛତା ବ୍ୟବସ୍ଥା ସୁଧାରିବାକୁ ଦୃଢ଼ ପଦକ୍ଷେପ ନେବା ଦାବି ଜୋର ଧରିଛି।