Hot Posts

6/recent/ticker-posts

ମେଡିକାଲ କଲେଜ ନାମକରଣକୁ ନେଇ ବଢ଼ିଲା ବିବାଦ: ୧୫ ଦିନ ମଧ୍ୟରେ ପୁନର୍ବିଚାର ନହେଲେ ଆନ୍ଦୋଳନ ଚେତାବନୀ

ଫୁଲବାଣୀ, ୩୦/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ନିର୍ମିତ ଭେଷଜ ମେଡିକାଲ କଲେଜର ନାମକରଣ କୁ ନେଇ ବିବାଦ ଦେଖାଦେଇଛି। ଏହି ପ୍ରସଙ୍ଗରେ ଫୁଲବାଣୀ ସାମ୍ବାଦିକ ଭବନରେ ମିଳିତ ମଞ୍ଚ କନ୍ଧମାଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ସମ୍ମିଳନୀ ରେ ରାଜ୍ୟ ସରକାରଙ୍କ ନାମକରଣ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଦାବି କରାଯିବା ସହ ୧୫ ଦିନ ମଧ୍ୟରେ ନିଷ୍ପତ୍ତିରେ ପରିବର୍ତ୍ତନ ନ ଆସିଲେ ଗଣଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସୂଚନା ଅନୁଯାୟୀ, ଚଳିତ ମାସର ୨୭ ତାରିଖରେ ରାଜ୍ୟ ସରକାର ଫୁଲବାଣୀରେ ନିର୍ମିତ ଭେଷଜ ମେଡିକାଲ କଲେଜର ନାମ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି କୁ ବିରୋଧ କରି ମିଳିତ ମଞ୍ଚ ଓ କୁଇ ସମାଜର ବିଭିନ୍ନ ସଂଗଠନ କହିଛନ୍ତି ଯେ ପୂର୍ବରୁ ସରକାର ଙ୍କୁ କନ୍ଧମାଳ ର କୌଣସି ସ୍ୱାଧୀନତା ସଂଗ୍ରାମୀ ଙ୍କ ନାମରେ କିମ୍ବା ‘କନ୍ଧମାଳ ମେଡିକାଲ କଲେଜ’ ନାମରେ ନାମକରଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେହି ପ୍ରସ୍ତାବକୁ ଅଣଦେଖା କରି ସରକାର ବର୍ତ୍ତମାନ ର ନାମକୁ ଅନୁମୋଦନ କରିଥିବା ଅଭିଯୋଗ କରାଯାଇଛି। ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ନେତୃବୃନ୍ଦ କହିଥିଲେ ଯେ ଜିଲ୍ଲାବାସୀ ଙ୍କ ଭାବାବେଗ ଓ ମତାମତ କୁ ସମ୍ମାନ ଜଣାଇ ସରକାର ଏହି ନିଷ୍ପତ୍ତି ଉପରେ ତୁରନ୍ତ ପୁନର୍ବିଚାର କରନ୍ତୁ। ଯଦି ୧୫ ଦିନ ମଧ୍ୟରେ ନାମକରଣ ରେ ପରିବର୍ତ୍ତନ କରାନଯାଏ ତେବେ ରାଜରାସ୍ତା କୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଗଣଆନ୍ଦୋଳନ କରାଯିବ ବୋଲି ସେମାନେ ସ୍ପଷ୍ଟ କରିଥିଲେ। ସେହି ସମୟରେ ଜିଲ୍ଲାରେ କୌଣସି ପ୍ରକାର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚର ସଭାପତି ସମିର ଘଟାଲ, କୁଇ ସମାଜ ସେବା ସମିତି ଫୁଲବାଣୀର କାର୍ଯ୍ୟକାରୀ ସଭାପତି ରମାକାନ୍ତ ମଲ୍ଲିକ, ଆଦିବାସୀ ମହାସଂଘ କନ୍ଧମାଳର ସଭାପତି ମନୋଜ କୁମାର ପ୍ରଧାନ, କୁଇ ସମନ୍ୱୟ ସମିତି କନ୍ଧମାଳ ର ସାଧାରଣ ସମ୍ପାଦକ ଲମ୍ବୋଦର କହଁର, କୁଇ ସମାଜ ସେବା ସମିତି ର ମୁଖ୍ୟ ସଦସ୍ୟ ଗୌତମ ପ୍ରଧାନ, କୁଇ ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, କାର୍ଯ୍ୟକାରୀଣୀ ସଦସ୍ୟ ପଞ୍ଚାନନ କହଁର, ମିଳିତ ମଞ୍ଚ ସଭ୍ୟ ବିନୋଦ କୁମାର ପ୍ରଧାନ, ତ୍ରୀନାଥ ମାଝୀ, ପାଣ ସମାଜ କଲ୍ୟାଣ ସଭାର ସଭାପତି ପଙ୍କଜ ବେହେରା ଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ