ସିନାପାଲି, ୩୦/୦୭ ( ପରମେଶ୍ୱର ମେହେର ) : ଲଗାଣ ବର୍ଷାରେ ସିନାପାଲି ଅଞ୍ଚଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦୀର୍ଘ ସମୟ ଧରି ଲାଗିରହିଥିବା ବର୍ଷା ଯୋଗୁଁ ଅଞ୍ଚଳର ଉଦନ୍ତୀ ନଦୀରେ ପ୍ରବଳ ବନ୍ୟା ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଗତ ୪ରୁ ୫ ବର୍ଷ ମଧ୍ୟରେ ଏଭଳି ବଡ଼ ଧରଣର ନଈବଢ଼ି ଦେଖିବାକୁ ମିଳିନଥିଲା। ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଲଗାଣ ବର୍ଷାର ସିଧାସଳଖ ପ୍ରଭାବ ଏବେ ଚାଷ ଉପରେ ପଡ଼ିବା ଆରମ୍ଭ କରିଛି। ବିଭିନ୍ନ ଅଞ୍ଚଳରେ ଚାଷଜମିରେ ବର୍ଷାଜଳ ଜମି ରହିଥିବାରୁ ଶହଶହ ଏକର ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଚାଷଜମିରୁ ପାଣି ନିଷ୍କାସନ ନହେଲେ ଆଗାମୀ ଦିନରେ ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ ବୋଲି ଚାଷୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଲଗାଣ ବର୍ଷା ଯୋଗୁଁ ସିନାପାଲି ଅଞ୍ଚଳର ଦୋକାନ ବଜାର ମଧ୍ୟ ପ୍ରାୟତଃ ଠପ୍ ହୋଇଯାଇଥିଲା। ରାସ୍ତାଘାଟରେ ଲୋକଙ୍କ ଚଳପ୍ରଚଳ କମିଯାଇଥିବା ବେଳେ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସେହିପରି କେତେକ ସ୍ଥାନରେ ପୋଲ ଉପରେ ବର୍ଷାଜଳ ଉଛୁଳି ବହିବାରୁ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଥିଲା। ସିନାପାଲି-ଖଡ଼ିଆଳ ମୁଖ୍ୟ ରାସ୍ତାର ବରଗାଁ-ଗଣ୍ଡାବାହାଳୀ ମଧ୍ୟରେ ନିର୍ମିତ ନୂତନ ପୋଲ ଉପରେ ଆଣ୍ଠୁଏ ପାଣି ବହିବାରୁ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବା ଦେଖାଯାଇଥିଲା।ସେହିପରି ସିନାପାଲି ମୁଖ୍ୟ ରାସ୍ତାର ବ୍ଲକ ଛକ ନିକଟରେ ଏକ ଗଛ ରାସ୍ତା ଉପରେ ପଡ଼ିଯିବାରୁ କିଛି ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଏପଟେ ଦୀର୍ଘ ବର୍ଷ ପରେ ଉଦନ୍ତୀ ନଦୀରେ ଏଭଳି ପ୍ରବଳ ବନ୍ୟା ଦେଖାଦେଇଥିବାରୁ ନଦୀର ଦୃଶ୍ୟ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ମଧ୍ୟ ବଢ଼ିଥିଲା। ଯୁଗେନପଦର ସେତୁ ଓ ବରଗାଁ-ଧୋବା ସେତୁ ନିକଟରେ ନଦୀବଢ଼ି ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଅନେକ ଲୋକ ନଦୀର ପ୍ରବଳ ସ୍ରୋତକୁ ମୋବାଇଲ୍ରେ କଏଦ କରିବା ସହ ସେଲ୍ଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ପ୍ରବଳ ବନ୍ୟା ସମୟରେ ନଦୀ ଓ ପୋଲ ନିକଟକୁ ଯାଇ ସେଲ୍ଫି ନେବା ଅତ୍ୟନ୍ତ ବିପଜ୍ଜନକ ହୋଇଥିବାରୁ ଏଥିରୁ ନିବୃତ୍ତ ରହିବାକୁ ସଚେତନ ଲୋକେ ପରାମର୍ଶ ଦେଇଛନ୍ତି। ଲଗାଣ ବର୍ଷା ଓ ନଦୀବଢ଼ିର ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିବା ସହ ଚାଷଜମିର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
