କଟକର ୩୬ ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ
କଟକ, ୩୦/୦୭ ( କାହୁଁ ଚରଣ ବାରିକ ) : କଟକର ବହୁଚର୍ଚ୍ଚିତ ୩୬ ଲକ୍ଷ ଟଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ମଧୁପାଟଣା ପୋଲିସ। ଏହି ଘଟଣାରେ ଆଉ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୋଟ ୬ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୫ ହଜାର ଟଙ୍କା, ଗୋଟିଏ ହୁଣ୍ଡାଇ ଭେନ୍ୟୁ ଗାଡ଼ି, ୬ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି ମାମଲାର ତଦନ୍ତରେ ସିସିଟିଭି ଫୁଟେଜ୍, ବୈଷୟିକ ପ୍ରମାଣ ଏବଂ ଅନ୍ୟାନ୍ୟ ସାକ୍ଷ୍ୟକୁ ଆଧାର କରି ପୋଲିସ ସମଗ୍ର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି। ସୂଚନା ଅନୁସାରେ, ଗତ ଜୁଲାଇ ୧୩ ତାରିଖରେ ବାଲୁବଜାରସ୍ଥିତ ସୋନି ଜୁଏଲେରୀର ମାଲିକ ସଞ୍ଜୟ ସାହା ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ କର୍ମଚାରୀ ଜ୍ଞାନରଞ୍ଜନ ସାହୁ ଏବଂ ସମ୍ପର୍କୀୟ ପିଙ୍କି ଗୁପ୍ତା ସୁନା ଅଳଙ୍କାର କିଣିବା ପାଇଁ କୋଲକାତା ଯିବା ଉଦ୍ଦେଶ୍ୟରେ ୩୬ ଲକ୍ଷ ଟଙ୍କା ନଗଦ ଧରି ଓଏମ୍ପି ଛକ ଅଭିମୁଖେ ସ୍କୁଟିରେ ଯାଉଥିଲେ।ସେହି ସମୟରେ ଏନଏଚ୍-୧୬ର ତାଳଦଣ୍ଡା କେନାଲ ଓଭରବ୍ରିଜ୍ ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କ ସ୍କୁଟିକୁ ଅଟକାଇ ତଳେ ପକାଇ ଦେଇଥିଲେ। ପରେ ଏକ ଲୁହା ରଡ଼ରେ ପିଙ୍କି ଗୁପ୍ତାଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଏହା ଏକ ସୁପରିକଳ୍ପିତ ଆପରାଧିକ ଷଡ଼ଯନ୍ତ୍ରର ଫଳ। ଅଭିଯୁକ୍ତ ଆନନ୍ଦ ସାହା ଅଭିଯୋଗକାରୀଙ୍କ ବ୍ୟବସାୟ ଏବଂ ବହୁ ପରିମାଣର ନଗଦ ଟଙ୍କା ନେଇ ଯିବା ସମ୍ପର୍କରେ ପୂର୍ବରୁ ସୂଚନା ରଖିଥିଲେ। ସେ ଏହି ସୂଚନାକୁ ସହଅଭିଯୁକ୍ତ ରହମତ ଅଲ୍ଲୀଙ୍କୁ ଦେଇ ଲୁଟ୍ ଯୋଜନାକୁ ସଫଳ କରିବାରେ ସହଯୋଗ କରିଥିଲେ। ଅଭିଯୁକ୍ତମାନେ ପ୍ରଥମେ ପୀଡ଼ିତଙ୍କ ଉପରେ ନଜର ରଖିଥିଲେ, ପରେ ମୋଟରସାଇକେଲରେ ସେମାନଙ୍କୁ ପିଛା କରି ସୁଯୋଗ ଦେଖି ଏହି ଲୁଟ୍ କାଣ୍ଡ ଘଟାଇଥିଲେ। ପୋଲିସ ପକ୍ଷରୁ ସଂଗ୍ରହ କରାଯାଇଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍, ବୈଷୟିକ ପ୍ରମାଣ ଏବଂ ଅନ୍ୟାନ୍ୟ ସାକ୍ଷ୍ୟରୁ ଅଭିଯୁକ୍ତମାନଙ୍କ ଘଟଣା ପୂର୍ବ, ଘଟଣା ସମୟ ଓ ପରବର୍ତ୍ତୀ ଗତିବିଧି ସ୍ପଷ୍ଟ ହୋଇଥିବା ପୋଲିସ କହିଛି। ପୂର୍ବରୁ ଗିରଫ ହୋଇଥିବା ରାହୁଲ କୁମାର ଓରଫ ସେଖ୍ ହାଇଦର ପଚରାଉଚରା ବେଳେ ଲୁଟ୍ ଘଟଣାରେ ନିଜର ସମ୍ପୃକ୍ତି ସ୍ୱୀକାର କରିଥିଲେ। ସେ ଲୁଟ୍ ଟଙ୍କାରୁ ୫୦ ହଜାର ଟଙ୍କା ପାଇଥିବା ସହ ସେହି ଟଙ୍କାରେ ୨୩ ହଜାର ଟଙ୍କାର ଏକ ନୂଆ ମୋବାଇଲ ଫୋନ୍ କିଣିଥିବା ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଥିଲେ। ସେହି ମୋବାଇଲ ଫୋନ୍କୁ ପୋଲିସ ଜବତ କରିଛି। ଏହି ମାମଲାରେ ରାହୁଲ କୁମାର ଓରଫ ସେଖ୍ ହାଇଦର ଏବଂ ଆନନ୍ଦ ସାହାଙ୍କୁ ଜୁଲାଇ ୨୮ ତାରିଖରେ ଗିରଫ କରାଯାଇଥିବା ବେଳେ, ଜୁଲାଇ ୨୯ ତାରିଖରେ ମାନସ ମଲ୍ଲିକ ଓରଫ ପାଗଳ, ବିଶ୍ୱଜିତ ବେହେରା, ରାଜା ଓରଫ ବିବେକାନନ୍ଦ ସେନାପତି ଏବଂ ରାଜେଶ ଜେନାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ମଧୁପାଟଣା ଥାନା ଆଇଆଇସି ଚିତ୍ତରଞ୍ଜନ ରାଉତଙ୍କ ନେତୃତ୍ୱରେ ଏହି ତଦନ୍ତ କରାଯାଇଥିବା ବେଳେ ଏଡିସିପି ସୁବ୍ରତ କୁମାର, ଏସିପି ଅରୁଣ ସ୍ୱାଇଁ, ଏସିପି ଅଶୋକ ଗିରି ଓ କମିଶନରେଟ୍ ପୋଲିସର ଅନ୍ୟାନ୍ୟ ଅଧିକାରୀମାନେ ଏହି ସଫଳ ଅପରେସନରେ ସାମିଲ ଥିଲେ। ଲୁଟ୍ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଏବଂ ଲୁଟ୍ ହୋଇଥିବା ବାକି ଟଙ୍କା ଉଦ୍ଧାର ପାଇଁ ପୋଲିସର ତଦନ୍ତ ଜାରି ରହିଛି।