Hot Posts

6/recent/ticker-posts

ରାସ୍ତା ନା କାଦୁଅ ପଙ୍କ: ଆମ୍ବୁଲାନ୍ସ ଆସିବା ମଧ୍ୟ କଷ୍ଟକର, ଜନ ଅସନ୍ତୋଷ

ଝରିଗାଁ, ୨୦/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଳିଆ ପଞ୍ଚାୟତରେ ଦେଖାଦେଇଛି ଗମନାଗମନର ସଂଘାତିକ ଚିତ୍ର। ପାଳିଆ ପଞ୍ଚାୟତ ଅନ୍ତର୍ଗତ ବେଳଝରୀରୁ ଡୁମୁରିପଦ ପର୍ଯ୍ୟନ୍ତ ଥିବା ପ୍ରାୟ ଏକ କିଲୋମିଟର ଦୀର୍ଘ କାଚା ରାସ୍ତା ବର୍ତ୍ତମାନ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଛି। ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ଜମି ରହିଥିବାରୁ ମୋଟରସାଇକେଲ ତଥା ଅନ୍ୟାନ୍ୟ ଯାନବାହନ ଚଳାଚଳ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ପ୍ରତିବର୍ଷ ବର୍ଷା ଋତୁ ଆସିଲେ ବେଳଝରୀ, ଡୁମୁରିପଦର ଏବଂ ଡିଉଡୁଗୁଡ଼ା ଗ୍ରାମର ହଜାର ହଜାର ବାସିନ୍ଦା ଏହି ମରଣଯନ୍ତା ସଦୃଶ ରାସ୍ତା ପାଇଁ ଚରମ ଦୁର୍ଭୋଗ ଭୋଗୁଛନ୍ତି। ସବୁଠାରୁ ଗୁରୁତର ବିଷୟ ହେଉଛି, ଗ୍ରାମରେ କୌଣସି ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କ ପାଇଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଆବଶ୍ୟକ ହେଲେ ଆମ୍ବୁଲାନ୍ସ ଡାକିଲେ ମଧ୍ୟ କାଦୁଅ ରାସ୍ତା ଯୋଗୁଁ ଗାଁକୁ ଗାଡ଼ି ପହଞ୍ଚି ପାରୁନାହିଁ। ଫଳରେ ରୋଗୀଙ୍କୁ ଡାକ୍ତରଖାନା ନେବାରେ ଅହେତୁକ ବିଳମ୍ବ ହେଉଛି ଏବଂ ମୌଳିକ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତ ଓ ଜରୁରୀ ସେବାକୁ ଆଖି ଆଗରେ ରଖି ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବେଳଝରୀ–ଡୁମୁରିପଦର ରାସ୍ତାକୁ ଯଥାଶୀଘ୍ର ପକ୍କା ରାସ୍ତାରେ ପରିଣତ କରିବା ପାଇଁ ଅଞ୍ଚଳରେ ଦାବି ଜୋର ଧରିଛି।