କେସିଙ୍ଗା, ୦୬/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଓ ବ୍ୟସ୍ତବହୁଳ କେସିଙ୍ଗା ରେଳ ଷ୍ଟେସନର ନବନିର୍ମିତ ପ୍ଲାଟଫର୍ମ ଛାତରୁ ବର୍ଷା ପାଣି ଗଳୁଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ନବୀକରଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ଥିବାବେଳେ ପ୍ରଥମ ଲଗାଣ ବର୍ଷାରେ ଛାତରୁ ପାଣି ଗଳିବା ନିର୍ମାଣ କାର୍ଯ୍ୟର ମାନକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଏହାଯୋଗୁଁ ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେସିଙ୍ଗା ରେଳ ଷ୍ଟେସନ କଳାହାଣ୍ଡି ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ। ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ଼ରେ ରେଳ ଷ୍ଟେସନ ଥିଲେ ମଧ୍ୟ ଦୂରଗାମୀ ଟ୍ରେନର ଷ୍ଟପେଜ ଥିବାରୁ ପ୍ରାୟ ୭୫ ପ୍ରତିଶତ ଲୋକ ଯାତାୟାତ ପାଇଁ କେସିଙ୍ଗା ଷ୍ଟେସନ ଉପରେ ନିର୍ଭର କରନ୍ତି। ସେଥିପାଇଁ ଏହି ଷ୍ଟେସନରେ ସବୁବେଳେ ଯାତ୍ରୀଙ୍କ ଭିଡ଼ ଲାଗି ରହିଥାଏ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ କେସିଙ୍ଗା ଷ୍ଟେସନର ନବୀକରଣ କାମ ଚାଲିଥିବା ବେଳେ ପ୍ରାୟ ୯୦ ପ୍ରତିଶତ କାମ ଶେଷ ହୋଇଛି। ଖୁବଶୀଘ୍ର ଏହାର ଉଦ୍ଘାଟନ ହେବାର ସମ୍ଭାବନା ରହିଛି। କିନ୍ତୁ ଶନିବାରର ଲଗାଣ ବର୍ଷାରେ ନବନିର୍ମିତ ପ୍ଲାଟଫର୍ମ ଛାତରୁ ପାଣି ଗଳିବା ଆରମ୍ଭ ହୋଇଥିଲା। ଫଳରେ ଯାତ୍ରୀମାନେ ଛାତ ତଳେ ମଧ୍ୟ ଭିଜିବାକୁ ବାଧ୍ୟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ୍ ୨୬ ତାରିଖରେ ଇଷ୍ଟ କୋଷ୍ଟ ରେଳୱେର ଜେନେରାଲ ମ୍ୟାନେଜର କେସିଙ୍ଗା ଷ୍ଟେସନ ପରିଦର୍ଶନ କରି କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଥିଲେ। ହେଲେ ପ୍ରଥମ ବର୍ଷାରେ ଛାତରୁ ପାଣି ଗଳିବା ଘଟଣା ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି। ଏନେଇ ସଚେତନ ନାଗରିକ ତଥା ଷ୍ଟେସନ ପରାମର୍ଶଦାତା କମିଟି ସଦସ୍ୟ ସୁରେଶ ରାଓ ଷ୍ଟେସନ ମ୍ୟାନେଜରଙ୍କୁ ଅଭିଯୋଗ କରିବା ସହ ରେଳମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ଏବେ ରେଳ ବିଭାଗ କେବେ ଏହି ତ୍ରୁଟିର ସମାଧାନ କରୁଛି, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
