ନୟାଗଡ଼, ୦୬/୦୭ ( ସୁଧୀର କୁମାର ଦାସ ) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତର କେନାଲ ଚେକ୍ ଗେଟ୍ ନିକଟରେ ଏବଂ ତଳ ପାର୍ଶ୍ୱରେ ବହୁ ପରିମାଣର ଅଳିଆ ଆବର୍ଜନା ଜମା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ଫଳରେ ଜଳ ପ୍ରଦୂଷଣ ସହ କୃଷି ଓ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୂଚନା ଅନୁଯାୟୀ, ନଦିଘୋର ବୁଢ଼ା–ବୁଢ଼ିଆଣୀ ଡ୍ୟାମର ଜଳ ଶିଖରପୁର କେନାଲ ଚେକ୍ ଗେଟ୍ ଦେଇ ପ୍ରବାହିତ ହୋଇ କୃଷି ଜମି ଓ ପୋଖରୀକୁ ଯୋଗାଣ ହେଉଛି। ମାତ୍ର କେନାଲ ନିକଟରେ ପକାଯାଉଥିବା ଅଳିଆ ଆବର୍ଜନା ବର୍ଷା ଜଳ ସହ ମିଶି କୃଷି କ୍ଷେତ୍ର ଓ ପୋଖରୀକୁ ଦୂଷିତ କରୁଥିବା କୁହାଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ ମତରେ, ଏଭଳି ଅପରିଷ୍କାର ପରିବେଶ ଯୋଗୁଁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ତଥାପି ଏହି ସମସ୍ୟା ପ୍ରତି ସଚେତନତାର ଅଭାବ ଦେଖାଯାଉଥିବାରୁ ଅଳିଆ ଆବର୍ଜନା ପକାଯିବା ବନ୍ଦ ହେଉନାହିଁ। ଏନେଇ ସ୍ଥାନୀୟ ଲୋକେ ଶିଖରପୁର ପଞ୍ଚାୟତ ଓ ସମ୍ପୃକ୍ତ ପ୍ରଶାସନକୁ ତୁରନ୍ତ ଅଳିଆ ଆବର୍ଜନା ସଫା କରିବା ସହ ଭବିଷ୍ୟତରେ ଏଭଳି ପ୍ରଦୂଷଣ ରୋକିବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
– ସୁଧୀର କୁମାର ଦାସ, ନୟାଗଡ଼

