ତେନ୍ତୁଳିଖୁଣ୍ଟି, ୦୩/୦୭ ( ଶେଖର ଖୁରା ) : ଖାତିଗୁଡା କଲୋନୀ ଅଞ୍ଚଳରେ ଗତ ବର୍ଷ ଅକ୍ଟୋବରରୁ ଚଳିତ ବର୍ଷ ଅଦ୍ୟାବଧି ଘଟିଥିବା ଏକାଧିକ ଚୋରୀ ଓ ଡକାୟତି ଘଟଣାରେ ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିନାହିଁ। ହାତଗଣତି କିଛି ମାମଲାକୁ ବାଦ ଦେଲେ ଅଧିକାଂଶ ଘଟଣାରେ ଚୋର କିମ୍ବା ଚୋର ଦଳକୁ ଧରିବାରେ ପୋଲିସ ବିଫଳ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଦିନ ଦ୍ୱିପ୍ରହରରେ ସରକାରୀ ଓ ଘରୋଇ ବାସଭବନରେ ଚୋରମାନେ ପଶି ଲୁଟପାଟ କରୁଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଚଳିତ ବର୍ଷ ଜାନୁଆରୀ ୨୧ ତାରିଖ ରାତି ପ୍ରାୟ ୧ଟା ବେଳେ ପ୍ରକଳ୍ପ କଲୋନୀର ଏଫ୍ଡବ୍ଲ୍ୟୁ-୧୩୨ କ୍ୱାର୍ଟରରେ ରହୁଥିବା ପନିପରିବା ବ୍ୟବସାୟୀ ନଡ଼ିଆବତୀ ନାୟକଙ୍କ ଘରେ ପ୍ରାୟ ୧୦ ଜଣ ଦୁର୍ବୃତ୍ତ ପଶି ଛୁରୀ ଦେଖାଇ ଓ ମାଡ଼ ମାରି ପ୍ରାୟ ସାଢ଼େ ଚାରି ଭରି ସୁନା ଅଳଙ୍କାର ସହ ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କେସ୍ ନଂ–୦୬/୨୬ ରୁଜୁ ହୋଇଥିବା ବେଳେ ଜିଲ୍ଲା ଏସ୍ପି, ଏସ୍ଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତଥାପି ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଧରାପଡ଼ି ନାହାନ୍ତି। ସେହିପରି ୨୦୨୫ ଅକ୍ଟୋବର ୨୫ ତାରିଖରେ ଶୁଭେନ୍ଦୁ ସାହୁଙ୍କ ଘରୁ ସୁନା ଗହଣା ଚୋରି ହୋଇଥିଲେ ମଧ୍ୟ ପୋଲିସ ସେଗୁଡ଼ିକର ସନ୍ଧାନ ପାଇନାହିଁ। ବରିଷ୍ଠ ଶିକ୍ଷକ ନେତ୍ରାନନ୍ଦ ଖୋସଲାଙ୍କ ସରକାରୀ ବାସଭବନ ଏଫ୍ଟି-୨୧ରେ ଦିନ ସମୟରେ ଚୋର ପଶି ଆଲମିରା ଭାଙ୍ଗି ଏଟିଏମ୍ କାର୍ଡ ଓ ଜରୁରୀ କାଗଜପତ୍ର ନେଇ ଯାଇଥିଲେ। ଏହି ଘଟଣାରେ ମଧ୍ୟ କୌଣସି ସଫଳତା ମିଳିନାହିଁ। ଖାତିଗୁଡା ଓ ପୋଡାଗଡ କଲୋନୀରୁ ଚୋରି ହୋଇଥିବା ଚାରିଟି ମୋଟରସାଇକେଲ ମାମଲାରେ ମଧ୍ୟ ପୋଲିସ ଖାଲି ହାତ। ଏହାଛଡ଼ା ଇନ୍ଦ୍ରାବତୀ ପ୍ରକଳ୍ପ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରଞ୍ଜନ କୁମାର ସ୍ୱାଇଁଙ୍କ ବେକରୁ ପ୍ରାତଃଭ୍ରମଣ ସମୟରେ ଛିଣ୍ଡାଇ ନିଆଯାଇଥିବା ସୁନା ଚେନ୍ର ସନ୍ଧାନ ମଧ୍ୟ ମିଳିନାହିଁ। କୃଷି ବିଭାଗର ଜଣେ ମହିଳା କର୍ମଚାରୀଙ୍କ ବାସଭବନରେ ହୋଇଥିବା ଚୋରୀ ଘଟଣାରେ ମଧ୍ୟ ପୋଲିସ ସଫଳତା ପାଇନାହିଁ। ପ୍ରତ୍ୟେକ ଘଟଣା ପରେ ଚୋରୀ ସାମଗ୍ରୀ ଉଦ୍ଧାର ଓ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଆଶ୍ୱାସନା ଦେଉଥିଲେ ମଧ୍ୟ ତାହା ବାସ୍ତବରେ ସଫଳ ହୋଇପାରିନାହିଁ। ଫଳରେ "ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯାଉଛି" ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଦିନ ଦ୍ୱିପ୍ରହରରେ ଘରେ ପଶି ଚୋରୀ ହେଉଥିବାରୁ ପୋଲିସର କାର୍ଯ୍ୟଦକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଥାନାରେ ନୂତନ ଆଇଆଇସି ଫେବୃଆରୀ ୩ ତାରିଖରେ ଯୋଗଦେବା ପରେ ଅପରାଧୀଙ୍କ ମନରେ କିଛିଟା ଭୟ ସୃଷ୍ଟି ହୋଇଥିଲେ ମଧ୍ୟ ଚାରି ମାସ ବିତିଯାଇଥିଲେ ସୁଦ୍ଧା କୌଣସି ବଡ଼ ଚୋରୀ ମାମଲାରେ ସଫଳତା ମିଳିନାହିଁ। ଚୋରୀ ବୃଦ୍ଧି ପରେ ତତ୍କାଳୀନ ଏସ୍ପି ଥାନାର ଆଇଆଇସି ଓ ଅନ୍ୟ ଦୁଇ ଅଧିକାରୀଙ୍କ ବଦଳି କରିଥିଲେ। ଆଇଆଇସି ହରିଶ ଗଲୋରି ଓ ଏଏସ୍ଆଇ ବ୍ୟାସ ଜାନି ରିଲିଭ୍ ହୋଇଥିବା ବେଳେ ଏସ୍ଆଇ ବୁଡ଼ୁବାଡେ ଏପର୍ଯ୍ୟନ୍ତ ରିଲିଭ୍ ହୋଇନାହାନ୍ତି। ଲଗାତାର ଚୋରୀ ଓ ଡକାୟତି ଘଟଣା ପରେ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଚୋରୀ ଘଟଣାରେ ରୋକ୍ ଲଗାଇବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l
