Hot Posts

6/recent/ticker-posts

ଝରିଗାଁ ଥାନାରେ ‘ଆମ ପୋଲିସ ସମିତି’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ; ଜନସାଧାରଣଙ୍କୁ ଆଇନ ସଚେତନତାର ବାର୍ତ୍ତା

ଝରିଗାଁ, ୦୧/୦୭ (ନକୁଲ ଭତରା) : ଝରିଗାଁ ଥାନା ପରିସରରେ ‘ଆମ ପୋଲିସ ସମିତି’ ପକ୍ଷରୁ ଜନସାଧାରଣଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝରିଗାଁ ଥାନାର ଏସ୍‌ଆଇ ଲକ୍ଷ୍ମୀ ନାରାୟଣ ଦୋରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା, ସାଇବର ଠକେଇ ଓ ନିଶା ନିବାରଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଯାନବାହନ ଚଳାଚଳ ସମୟରେ ହେଲମେଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଅତ୍ୟଧିକ ବେଗରେ ଯାନ ଚଳାଚଳରୁ ବିରତ ରହିବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ଅଜଣା ଲିଙ୍କ ଖୋଲିବା ନାହିଁ ଏବଂ ନିଜର ଗୋପନୀୟ ତଥ୍ୟ କାହାକୁ ନ ଦେବାକୁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ନିଶା ନିବାରଣ ଅଭିଯାନ ମାଧ୍ୟମରେ ନିଶାର କୁପ୍ରଭାବ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏ ଏସ ଆଇ ମମତା ସେଟି, ମୁରଲୀ ବିଶୋଇ, ଝରିଗାଁ ନାଗରିକ ମଞ୍ଚର ବରିଷ୍ଠ ବୁଦ୍ଧିଜୀବୀ, ବିଭିନ୍ନ କର୍ମଜୀବୀ ବ୍ୟକ୍ତି ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ। ସୁରକ୍ଷିତ ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ସମସ୍ତେ ନିୟମ ମାନି ଚଲିବାକୁ ଆହ୍ୱାନ ଦିଆଯାଇଥିଲା