ପ୍ରଥମ ଥର ପାଇଁ ରାଣିମୁଣ୍ଡାରେ ଗଡ଼ିବ ମହାପ୍ରଭୁଙ୍କ ରଥ; ଜୋରସୋରରେ ଚାଲିଛି ପ୍ରସ୍ତୁତି, ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ
ସିନାପାଲି, ୦୩/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣିମୁଣ୍ଡା ପଞ୍ଚାୟତର ରାଣିମୁଣ୍ଡା ବଜାର ପଡ଼ିଆରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଆୟୋଜନ କରାଯିବ। ଏହି ଖବର ପ୍ରକାଶ ପାଇବା ପରଠାରୁ କେବଳ ରାଣିମୁଣ୍ଡା ନୁହେଁ, ସମଗ୍ର ଅଞ୍ଚଳରେ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ବହୁଦିନର ଇଚ୍ଛାକୁ ସାକାର କରିବା ପାଇଁ ରାଣିମୁଣ୍ଡା ଗ୍ରାମବାସୀ ଏକାଠି ହୋଇ ଏହି ମହାନ ଧାର୍ମିକ ଆୟୋଜନକୁ ସଫଳ କରିବାରେ ଲାଗିପଡ଼ିଛନ୍ତି। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଅଭିଜ୍ଞ ରଥ କାରିଗର ନୀଳଜୀଙ୍କ ତତ୍ତ୍ୱାବଧାନରେ ପାରମ୍ପରିକ ନୀତି ଅନୁସାରେ ରଥ ପ୍ରସ୍ତୁତ କରାଯାଉଛି। ରଥର ପ୍ରତ୍ୟେକ କାର୍ଯ୍ୟରେ ରାଣିମୁଣ୍ଡା ଗ୍ରାମବାସୀଙ୍କ ଶ୍ରମ, ନିଷ୍ଠା ଓ ଭକ୍ତିଭାବ ପ୍ରତିଫଳିତ ହେଉଛି। ଏହା ସହ ରଥଯାତ୍ରା ପାଇଁ ଆବଶ୍ୟକ ଅନ୍ୟାନ୍ୟ ପ୍ରସ୍ତୁତି ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ପୁରୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତ୍ତି ଗତ ୨୧ ଜୁନରେ ରାଣିମୁଣ୍ଡାରେ ପହଞ୍ଚିସାରିଛି। ସେବେଠାରୁ ଗ୍ରାମରେ ନିୟମିତ ପୂଜାର୍ଚ୍ଚନା ଓ ଧାର୍ମିକ ପରିବେଶ ଜାରି ରହିଛି।ଗ୍ରାମବାସୀମାନେ ମହାପ୍ରଭୁଙ୍କ ପ୍ରଥମ ରଥଯାତ୍ରାକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ଏହି ରଥଯାତ୍ରାକୁ ଦେଖିବା ପାଇଁ ଲିଟିସର୍ଗି, ଦହନାପାଲି, ଅଲାଭଟା, ଭୋଇପଡ଼ା, କେକଡ଼ସର, ଧରଣୀମାଲ, ମାଣ୍ଡିଆରୁଚା, ମହେଶ୍ୱର ସମେତ ଆଖପାଖର ବହୁ ଗ୍ରାମରୁ ଶ୍ରଦ୍ଧାଳୁମାନେ ଆସିବେ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଏହି ଅଞ୍ଚଳର ଅଧିକାଂଶ ଲୋକ ଟିମନପୁରର ରଥଯାତ୍ରାରେ ଯୋଗଦେଉଥିଲେ। କିନ୍ତୁ ଏବେ ରାଣିମୁଣ୍ଡାରେ ମଧ୍ୟ ରଥଯାତ୍ରା ହେଉଥିବାରୁ ଏଠାରେ ମଧ୍ୟ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ ବୋଲି ଆଶା ରହିଛି। ରାଣିମୁଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ଅଞ୍ଚଳବାସୀଙ୍କୁ ଏହି ପବିତ୍ର ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ଆହ୍ୱାନ ଜଣାଯାଇଛି। ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ମହାପର୍ବକୁ ସଫଳ କରିବାରେ ସମସ୍ତଙ୍କ ସହଯୋଗ ଓ ଉପସ୍ଥିତି ରାଣିମୁଣ୍ଡା ପାଇଁ ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିବ। ଆୟୋଜକମାନଙ୍କ ଆଶା, ଚଳିତ ବର୍ଷର ଏହି ରଥଯାତ୍ରା ଆଗାମୀ ଦିନରେ ରାଣିମୁଣ୍ଡାକୁ ଅଞ୍ଚଳର ଏକ ପ୍ରମୁଖ ଧାର୍ମିକ କେନ୍ଦ୍ର ଭାବେ ପରିଚିତ କରାଇବ।