Hot Posts

6/recent/ticker-posts

ପାନୀୟଜଳ ସଙ୍କଟକୁ ନେଇ ରାସ୍ତା ଅବରୋଧ, ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଚକାପାଦ, ୨୧/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବପଲମେଣ୍ଡି( ଲା )ପଞ୍ଚାୟତର ପାନାବାଡ଼ି ଗ୍ରାମ ରେ ଦୀର୍ଘଦିନ ଧରି ଲାଗି ରହିଥିବା ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀମାନେ ସକାଳେ ଖଜୁରୀପଡ଼ା - ଶଙ୍କରାଖୋଲ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁଯାୟୀ ପାନାବାଡ଼ି ରେ ପ୍ରାୟ ୩୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ଥିବା ନଳକୂପ ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିରହିଛି। ଏହାସହ ବସୁଧା ଯୋଜନା ଅଧୀନରେ ମଧ୍ୟ ଗ୍ରାମବାସୀ ପାନୀୟଜଳ ସୁବିଧା ପାଇପାରି ନାହାନ୍ତି। ଫଳରେ ଲୋକମାନେ ଚୂଆ ଓ ନାଳର ପାଣି ଉପରେ ନିର୍ଭର କରି ଜୀବନଯାପନ କରୁଛନ୍ତି। ନଳକୂପ ଖରାପ ହୋଇଯାଇଥିବାରୁ ଅଞ୍ଚଳବାସୀ ଗୁରୁତର ପାନୀୟଜଳ ସଙ୍କଟ ରେ ସମ୍ମୁଖୀନ ହେଉଛନ୍ତି। ଏନେଇ ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବାରୁ ଗ୍ରାମବାସୀ ଆନ୍ଦୋଳନର ପଥ ବାଛିଥିଲେ। ସୋମବାର ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଗ୍ରାମର ମହିଳାମାନେ ଗରା ଓ ମାଠିଆ ଧରି ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ ଜାରି ରହିଥିଲା। ଖବର ପାଇ ସ୍ଥାନୀୟ ବିଭାଗୀୟ ଯନ୍ତ୍ରୀ ଅସିତ କୁମାର ସୁନ୍ଦରାୟ ଏବଂ ମୌସୁମୀ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ନଳକୂପଗୁଡ଼ିକର ମରାମତି କାର୍ଯ୍ୟ ଟ୍ୟାଙ୍କର ଏବଂ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ। ଅଞ୍ଚଳରେ ଦୀର୍ଘଦିନ ଧରି ଜଳ ସମସ୍ୟା ଲାଗି ରହିଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ