ଚକାପାଦ, ୨୯/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲାରେ ଦନ୍ତାହାତୀର ଆତଙ୍କ ଥମିବାର ନାଁ ନେଉନାହିଁ। ପୁଣିଥରେ ଏକ ନିରୀହ ଜୀବନ ଦନ୍ତାହାତୀ ଆକ୍ରମଣ ରେ ଅକାଳ ଝଡ଼ି ପଡ଼ିଛି। ଏହି ଦୁଃଖଦ ଘଟଣା ଟିକାବାଲି ବ୍ଲକର ବଡ଼ିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମରେ ଘଟିଛି। ମୃତକ ହେଲେ ପ୍ରଦୀପ ପ୍ରଧାନ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଲୋକଙ୍କ ମନରେ ଭୟ ଓ ଅସୁରକ୍ଷାର ଭାବନା ଆହୁରି ବଢ଼ିଯାଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ପ୍ରଦୀପ ପ୍ରଧାନ ନିଜ ପେଟାମାହା ବଗିଚାରୁ ଘରକୁ ଫେରୁଥିବା ବେଳେ ନିକଟସ୍ଥ ଏକ ପଣସ ଗଛରୁ ଖାଦ୍ୟ ସଂଗ୍ରହ କରି ଫେରୁଥିବା ଏକ ଦନ୍ତାହାତୀ ସହ ହଠାତ୍ ସାମ୍ନାସାମ୍ନି ହୋଇଥିଲେ। ଜୀବନ ବଞ୍ଚାଇବାର ସୁଯୋଗ ନ ପାଇ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ଘୁ. ଉଦୟଗିରି ବନ ବିଭାଗର ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ଓ ଟିକାବାଲି ପୋଲିସ ସକାଳ ପ୍ରାୟ ୭.୩୦ ସମୟରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଘୁ. ଉଦୟଗିରି ମେଡିକାଲକୁ ପଠାଇଥିଲେ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ୫ ବର୍ଷ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ସମ୍ପୃକ୍ତ ଦନ୍ତାହାତୀଟି ଦୀର୍ଘଦିନ ଧରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ପୂର୍ବରୁ ମଧ୍ୟ ଅନେକ ଜୀବନ ନେବା ସହ ଫସଲ, ଘରଦ୍ୱାର ଓ ସମ୍ପତ୍ତିର ବ୍ୟାପକ କ୍ଷତି କରିଥିବା ଅଭିଯୋଗ ରହିଛି। ଏହି ଘଟଣା ପରେ ପୁଣିଥରେ ବନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ, ହାତୀର ଗତିବିଧି ଉପରେ ନିୟମିତ ନଜରଦାରି, ସମୟୋପଯୋଗୀ ସତର୍କ ସୂଚନା ଏବଂ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ପ୍ରଭାବଶାଳୀ ପଦକ୍ଷେପ ପର୍ଯ୍ୟାପ୍ତ ଭାବେ ଗ୍ରହଣ କରାଯାଉନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଦେଖାଯାଉଛି।ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ପୂର୍ବରୁ ମଧ୍ୟ ହାତୀ ଆକ୍ରମଣରେ ୫ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଗୃହପାଳିତ ପଶୁ ପ୍ରାଣ ହରାଇଛନ୍ତି। ଏହା ସହ ଅନେକ ଫସଲ ନଷ୍ଟ ହେବା ସହିତ ଗୁହାଳ ଓ ଘର ମଧ୍ୟ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ରହିଛି।ଏହାଛଡ଼ା କନ୍ଧମାଳ ଜିଲ୍ଲା ପାଇଁ ସ୍ୱତନ୍ତ୍ର ରାପିଡ୍ ରେସ୍ପନ୍ସ ଟିମ୍ ଗଠନ ପାଇଁ ପୂର୍ବରୁ ଦାବି କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବା କହିଛନ୍ତି ଅଞ୍ଚଳବାସୀ। କେତେକ ସ୍ଥାନୀୟ ବାସିନ୍ଦା ବନ କର୍ମଚାରୀଙ୍କ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ବନ ବିଭାଗର ପକ୍ଷରୁ ଖବର ଲେଖାଯିବା ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନଥିଲା। ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ଗଣସଂଗଠନ ଦାବି କରିଛନ୍ତି ଯେ, ମାନବ–ହାତୀ ସଂଘର୍ଷ ରୋକିବା ପାଇଁ କେବଳ କ୍ଷତିପୂରଣ କିମ୍ବା ତଦନ୍ତରେ ସୀମିତ ନ ରହି ତୃଣମୂଳ ସ୍ତରରେ ପ୍ରଭାବଶାଳୀ ଓ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଉ। ସେହିପରି କେତେକ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଫୁଲବାଣୀ ବନଖଣ୍ଡ ଅଧିକାରୀ ହାତୀ ଉପଦ୍ରବ ନିୟନ୍ତ୍ରଣରେ ସଫଳ ହୋଇ ପାରିନାହାନ୍ତି। ତେଣୁ ତାଙ୍କ ବଦଳରେ ଜଣେ ଦକ୍ଷ ଓ ଅଭିଜ୍ଞ ବନଖଣ୍ଡ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ତେବେ ଏହି ଦାବି ସମ୍ପର୍କରେ ବନ ବିଭାଗ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
