Hot Posts

6/recent/ticker-posts

ବାଲିଆପାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ଗଛ ପଡ଼ି କ୍ଲବ ଘର ଭାଙ୍ଗିଲା।

ବାଲିଆପାଳ, ୨୮/୦୭ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକରେ ଗଲା ତିନି ଦିନ ଧରି ପ୍ରବଳ ରୁ ଅତି ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ଭୋଗ କରିବା ସହ ହାଟ ବଜାରର ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ପ୍ରଭାବିତ ହୋଇଛି। ଗତ ତିନି ଦିନ ଧରି ବାଲିଆପାଳ ବ୍ଲକରେ ଲଗାଣ ବର୍ଷା ଲାଗିରହିଛି। ତେବେ ସାଧାରଣ ଲୋକ ପଦାକୁ ବାହାରିବା କଷ୍ଟସାଧ୍ୟ ହୋଇଥିବାବେଳେ ଗୃହ ପାଳିତ ପଶୁପକ୍ଷୀ ମଧ୍ୟ ପଦାକୁ ବାହାରି ପାରି ନାହାଁନ୍ତି। ଗତ ରାତିଠାରୁ ବର୍ଷାର ମାତ୍ରା ଅଧିକ ରହିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ଜମି ବନ୍ୟାର ଭ୍ରମ ସୃଷ୍ଟି କରିଛି। ଷୋଳସା ପାଣ୍ଠ , କାଳନ୍ଦା ପାଣ୍ଠ , ମଧୁପୁରା ପାଣ୍ଠ , ଚାନ୍ଦମଣୀ ପାଣ୍ଠ , ଚୌମୁଖ ପାଣ୍ଠ ଆଦି ଗହୀର ଜମିରେ ତିନି ଫୁଟରୁ ଅଧିକ ବର୍ଷା ପାଣି ଲହଡି ଭାଙ୍ଗୁଛି। ବୁଣା ଧାନ ଚାଷ, ଧାନ ତଳି, ପାରିବା ଚାଷ, ନଳିତା ଚାଷ ଆଦି ବର୍ଷା ପାଣିରେ ବୁଡି ରହିଛି। ବାଲିଆପାଳ ବ୍ଲକର ସାଉଡି ପଞ୍ଚାୟତର ଚାରି ନମ୍ବର ଓ୍ବାର୍ଡର ଏକ ସରକାରୀ କ୍ଲବ ଘର ଓ ପାଖରେ ଥିବା ଲୋକଙ୍କ ଘର ଉପରେ ଏକ ଗଛ ଭାଙ୍ଗି ପଡିରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କେହି ମୃତାହତ ହୋଇ ନାହାଁନ୍ତି।ସେପଟେ ସୁବର୍ଣ୍ଣ ରେଖାର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆଶଙ୍କା ଦେଖିବାକୁ ମିଳିଛି।ସୁବର୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ତଳିଆ ପଞ୍ଚାୟତ ବାଲିଆପାଳ, ଅସ୍ତୀ, ଜାମକୁଣ୍ଡା, ମଧୁପୁରା, ବିଷ୍ନୁପୁର୍ ଆଦି ପଞ୍ଚାୟତର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି । ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସଜାଗ ରହିଥିବା ସୂଚନା ମିଳିଛି। ସେହିପରି ବସ୍ତା ବାଲିଆପାଳ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଖାଳ ମୁହାଣୀ ଛକ ଠାରେ ଏକ ଗଛ ରାସ୍ତା ଉପରେ ଭାଙ୍ଗି ପଡିବାରୁ ଓଡ୍ରାଫ ଟିମ ଗଛଟିକୁ କାଟି ସଫା କରିଛନ୍ତି। ପରେ ଅଟକି ଥିବା ଗାଡି ଘୋଡା ରାସ୍ତାରେ ସ୍ୱାଭାବିକ ଭାବେ ଯାତାୟାତ କରିଥିଲା।