ଜଗତପୁର ନାନକାର ଗ୍ରାମରେ ଯୁବକଙ୍କ ଆତ୍ମହତ୍ୟା, ବିଷ ପିଇ ମୃତ୍ୟୁ
କଟକ, ୩୦/୦୭ ( କାହୁଁ ଚରଣ ବାରିକ ) : ଜଗତପୁର ଥାନା ଅନ୍ତର୍ଗତ ନାନକା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଖଗେଶ୍ୱର ବେହେରା (ଡାକ ନାମ–କମି), ବୟସ ପ୍ରାୟ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ସେ ବିଷାକ୍ତ ପଦାର୍ଥ ସେବନ କରିଥିବାରୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, ବିଷ ପିଇବା ପୂର୍ବରୁ ସେ ନିଜର କିଛି ପରିଚିତଙ୍କ ସହ କଥା ହୋଇଥିଲେ। ଭିଡିଓ କଲ୍ରେ ସେ କାନ୍ଦୁଥିବା ଏବଂ ବ୍ୟକ୍ତିଗତ କାରଣରୁ ଏପରି ଚରମ ନିଷ୍ପତ୍ତି ନେଇଥିବା ନେଇ କିଛି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ସେହିପରି, ମୃତକଙ୍କ ମୋବାଇଲ୍ ଫୋନ୍ର ତଦନ୍ତ କରାଗଲେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରେ ବୋଲି ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି। ତେବେ ଏହି ସମସ୍ତ ଦାବିର ସରକାରୀ ପୁଷ୍ଟି ହୋଇନାହିଁ। ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣାର ସମସ୍ତ ପରିସ୍ଥିତି ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ଶେଷ ହେବା ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ।